ଭଙ୍ଗାଯିବ ନଅ ତାଲା । ବର୍ତ୍ତମାନ ଲୋକସେବା ଭବନର ଅତି ନିକଟରେ ଥିବା ନଅ ତାଲା, ସେଚ ସଦନ ଏବଂ ରାଜୀବ ଭବନକୁ ଭଙ୍ଗାଯିବ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତାଙ୍କ କହିବା ଅନୁସାରେ, ଏ ସବୁ କୋଠା ବିପଦସଙ୍କୁଳ ବୋଲି ଘୋଷଣା ହୋଇସାରିଛି । ଏହାସହିତ ତିନୋଟି ପର୍ଯ୍ୟାୟରେ ନୂଆ ଲୋକସେବା ଭବନ ନିର୍ମାଣ ହେବ ।
ପ୍ରଥମ ପର୍ଯ୍ୟାୟରେ ଲୋକସେବା ଭବନର ମୁଖ୍ୟ ଅଫିସଟି ଖାରବେଳ ଭବନ ନିକଟରେ ନିର୍ମାଣ ହେବ । ଏହାପରେ ପାଓ୍ୱାର ହାଉସ ଛକକୁ ଲାଗି ଏଡିଏମ୍ ଅଫିସ, OSEPA ଅଫିସ୍ ପାଖରେ ହେବ ନୂତନ ଲୋକସେବା ଭବନ ଅଫିସ୍ ।ଅନ୍ୟପଟେ ରାଜ୍ୟରେ ନୂଆ ବିଧାନସଭା ତିଆରି ନେଇ ଖବର ଆସିବା ପରେ, ଚର୍ଚ୍ଚା ହେଉଥିଲା ଯେ, ପୁରୁଣା ବିଧାନସଭା କଣ ହେବ? ଏବେ ଏନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତାଙ୍କ କହିବା ଅନୁସାରେ, ବର୍ତ୍ତମାନ ଥିବା ବିଧାନସଭା କୋଠାକୁ ଭଙ୍ଗାଯିବନି । ଏହାକୁ ସନ୍ତକ ହିସାବରେ ରଖାଯିବ । ଏମିତି କି ଭବିଷ୍ୟତରେ ଏହାକୁ ମ୍ୟୁଜିୟମ ଭାବରେ ମଧ୍ୟ ବ୍ୟବହାର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆଗକୁ ଓଡ଼ିଶାରେ ବିଧାନ ପରିଷଦ ଗଠନ ହୁଏ ତେବେ ଏହି ପୁରୁଣା ବିଧାନସଭା ଗୃହକୁ ବିଧାନ ପରିଷଦ ଗୃହ ଭାବେ ମଧ୍ୟ ବ୍ୟବହାର କରିହେବ ବୋଲି ସେ ସୂଚନା ଦେଇଛନ୍ତି । ଏହାସହ ନୂଆକରି ତିଆରି ହେବାକୁ ଥିବା ବିଧାନସଭାରେ ୩୦୦ ସଦସ୍ୟ ବସିପାରିବେ । ଲୋକସେବା ଭବନ ଏବଂ ବିଧାନସଭା ମଝିରେ ଥିବା ଖାଲି ସ୍ଥାନରେ ଏହି ନୂଆ ବିଧାନସଭା ଗଠନ ହେବ ।



