ଜିଲ୍ଲାସ୍ତରୀୟ ‘ଉଦ୍ୟମୀ ଓଡ଼ିଶା MSME’ କାର୍ଯ୍ୟକ୍ରମ ଉଦଘାଟିତ

ଅନୁଗୋଳ, ୨୭.୦୬ : ଅନୁଗୋଳ ଜିଲ୍ଲାର ବ୍ୟାପକ ଶିଳ୍ପ ସମ୍ଭାବନା ଓ ଶିଳ୍ପ ପୋର୍ଟଫୋଲିଓକୁ ପ୍ରଦର୍ଶନ କରିବା ନିମନ୍ତେ ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ବିଜୁ ମଇଦାନଠାରେ ଉଦଘାଟିତ ହୋଇଯାଇଛି। ଏହି ପାଞ୍ଚ ଦିନିଆ ପ୍ରଦର୍ଶନୀକୁ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ଶିବାଶିଷ କାନୁନଗୋଙ୍କ ସମେତ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବିଭିନ୍ନ ଉତ୍ପାଦନକାରୀ MSME (ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ) ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଗୁଡ଼ିକୁ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିବା ପାଇଁ ୩୦ଟି ସ୍ୱତନ୍ତ୍ର ଷ୍ଟଲ୍ ଆବଣ୍ଟନ କରି ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।ଉଦଘାଟନୀ ଅବସରରେ ମାନ୍ୟବର ବିଧାୟକ ଓ ପୌରପାଳିକା ଅଧ୍ୟକ୍ଷ ସମସ୍ତ ଷ୍ଟଲ୍ ବୁଲି ଦେଖିବା ସହ ଉଦ୍ୟୋଗୀମାନଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଯୁବପିଢ଼ିଙ୍କୁ ଚାକିରି ପାଇଁ ଅପେକ୍ଷା କରିବାର ମାନସିକତାରୁ ଆଗକୁ ବଢ଼ି ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କ ନିମନ୍ତେ ନିଯୁକ୍ତି ସୃଷ୍ଟିକାରୀ ହେବାକୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ସହିତ ସମାନ୍ତରାଳ ଭାବରେ “ଉଦ୍ୟୋଗୀତା ସଚେତନତା ଏବଂ ଋଣ ସୁବିଧା” ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ସେମିନାର ଆୟୋଜିତ ହୋଇଥିଲା।

ଏହି ଅବସରରେ ‘ମହିଳା ଉଦ୍ୟୋଗିତା ମଞ୍ଚ, ଓଡ଼ିଶା ଅଧ୍ୟାୟ’ର ମଧ୍ୟ ଶୁଭାରମ୍ଭ କରାଯାଇଛି। ସମ୍ଭାବ୍ୟ ମହିଳା ଉଦ୍ୟୋଗୀମାନେ କିଭଳି ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇ ଆନୁଷ୍ଠାନିକ ବ୍ୟାଙ୍କ ଋଣ ଏବଂ ଆର୍ଥିକ ସହାୟତା ପାଇପାରିବେ, ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ସହାୟକ ଶିଳ୍ପ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ସାହୁ ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଆର୍ଥିକ ପ୍ରୋତ୍ସାହନ ଓ ଯୋଜନା ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ସେହିପରି ୟୁକୋ ବ୍ୟାଙ୍କର ଲିଡ୍ ବ୍ୟାଙ୍କ ପରିଚାଳକ ଶ୍ରୀ ଦୀପକ ମିଶ୍ର ଯୋଗଦେଇ ନୂତନ ବ୍ୟବସାୟ ଓ ଉଦ୍ୟୋଗ ସ୍ଥାପନ ପାଇଁ ବ୍ୟାଙ୍କଗୁଡ଼ିକରୁ ଆନୁଷ୍ଠାନିକ ସୂତ୍ରରେ ଋଣ ନେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହାୟକ ଶିଳ୍ପ ଅଧିକାରୀ ଶ୍ରୀ ଯଶୋବନ୍ତ ଦାସ, ଶ୍ରୀ ଅଙ୍କିତ ସାମଲ ଏବଂ WEO ଶ୍ରୀ ମାନସ ଭଞ୍ଜଦେଓଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିପ୍ରମୁଖ ଉପସ୍ଥିତ ଥିଲେ।




