ବିଦ୍ୟୁତକାଟ ଓ ମେନେଜରଙ୍କ ଅସହଯୋଗ ମନୋଭାବରୁ ଯୋଡ଼ା BOI ଶାଖାରେ ଗ୍ରାହକ ଅସନ୍ତୋଷ
କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ପୌରାଞ୍ଚଳ ଯୋଡ଼ାସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ଥିବାରୁ ଗ୍ରାହକମାନେ ଗଭୀର ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା। ବିଦ୍ୟୁତ ସରବରାହ ନଥିବାରୁ କମ୍ପ୍ୟୁଟର ଆଧାରିତ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା, ଫଳରେ ଦୈନନ୍ଦିନ ବ୍ୟାଙ୍କିଙ୍ଗ କାର୍ଯ୍ୟ ଠପ୍ ପଡ଼ିଯାଇଛି। ତଦୁପରି, କାଲିଠାରୁ ଲଗାତାର ଚାରିଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ସାଧାରଣ ଲୋକେ ହଇରାଣ ସମ୍ମୁଖୀନ ହୋଇଛନ୍ତି।
ବୃଦ୍ଧ, ମହିଳା ଓ ଦୂରଦୂରାନ୍ତରୁ ଆସୁଥିବା ଗ୍ରାହକମାନେ ଘଣ୍ଟା ଘଣ୍ଟା ଧରି ବ୍ୟାଙ୍କ ଆଗରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲେ ମଧ୍ୟ କୌଣସି ସେବା ପାଇନଥିବା ଅଭିଯୋଗ କରିଛନ୍ତି। ଏହା ସହ ବ୍ୟାଙ୍କ ମେନେଜରଙ୍କ ବ୍ୟବହାର ଅସନ୍ତୋଷ ଜନକ ଥିବା ଓ “ଡିଜି ଖରାପ” ଦର୍ଶାଇ ଗ୍ରାହକଙ୍କ ସହ ସହଯୋଗ ନ କରିବାରୁ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା।
ଗ୍ରାହକମାନେ କହିଛନ୍ତି ଯେ, ଜମା-ଉଠାଣ, ପେନସନ ଗ୍ରହଣ ଓ ଆକାଉଣ୍ଟ ସମ୍ପର୍କିତ କାର୍ଯ୍ୟ ପାଇଁ ଆସି ଖାଲିହାତେ ଫେରିବାକୁ ଏକ ପ୍ରକାର ବାଧ୍ୟ ହୋଇଛନ୍ତି। ବ୍ୟାଙ୍କ ପକ୍ଷରୁ ଜେନେରେଟର କିମ୍ବା ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା କରା ନଯିବାକୁ ନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ଭାରି ଅସନ୍ତୋଷ ପ୍ରକାଶ ପାଇଛି।
ଏହି ଘଟଣାକୁ ସମ୍ପୃକ୍ତ ଉଚ୍ଚ ଅଧିକାରୀମାନେ ଗମ୍ଭୀରତାର ସହ ବିଚାର କରି ଶୀଘ୍ର ବ୍ୟାଙ୍କ ସେବା ସ୍ବାଭାବିକ କରିବା ସହ ଦାୟୀ ଅଧିକାରୀଙ୍କ ବିରୋଧରେ ଯଥୋଚିତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



