ମହିମ ପୀଠ ବିକାଶ ପ୍ରକଳ୍ପର ଶିଳାନ୍ୟାସ
ଢେଙ୍କାନାଳ,୧।୨: ମହିମା ଗାଦିର ମାଟି ମହାନୀୟ ମାଟି । ଜଗତ କଲ୍ୟାଣର ବାର୍ତ୍ତା ବିଶ୍ବକୁ ଉଦବୁଦ୍ଧ କରେ । ଏ ପବିତ୍ର ଜାଗାର ଆହୁରି ବିକାଶ ହେବ । ଭବ୍ୟ ମନ୍ଦିର ନିର୍ମାଣ ହେବ । ୨୪୦ କୋଟି ଟଙ୍କାରେ ୨୬୩ ଫୁଟ୍ ଉଚ୍ଚତାର ମନ୍ଦିର ନିର୍ମାଣ ହେବ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋରନ୍ଦା ମହିମା ପୀଠ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରି ଏହା କହିଛନ୍ତି ।
ଶ୍ରୀ ପାତ୍ର ଆହୁରି କହିଥିଲେ, ଯୋରନ୍ଦାର ମହିମା ପୀଠର ବିକାଶ ସହ ଯୋରନ୍ଦା ମହାବିଦ୍ୟାଳୟର ଉନ୍ନତି ପାଇଁ ୨ କୋଟି ପ୍ରଦାନ କରାଯାଇଛି । ଏଥିସହ ଢେଙ୍କାନାଳର ବିକାଶ ଆଗେଇ ଚାଲିବ । ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ପରିଗଣିତ ହେବ ବୋଲି କହିଥିଲେ ।
ଅନ୍ୟତମ ଅତିଥି ଭାବେ ପରଜଙ୍ଗ ବିଧାୟକ ଶ୍ରୀ ବିଭୁତି ପ୍ରଧାନ, ହିନ୍ଦୋଳ ବିଧାୟିକା ଶ୍ରୀମତୀ ସିମାରାଣୀ ନାୟକ, କାମାକ୍ଷାନଗର ବିଧାୟକ ଶ୍ରୀ ଶତୃଘନ ଜେନା ଉପସ୍ଥିତ ଥିଲେ ।
ମହିମା ସମାଜ ସମନ୍ୱୟ କର୍ତ୍ତା ତଥା ସର୍ବ ଭାରତୀୟ ଗୋସେବା ପ୍ରମୁଖ ଅଜିତ ମହାପାତ୍ର ମହିମା ଧର୍ମର ମହାନିୟତା ସମ୍ପର୍କରେ ଆଲୋଚନା କରିଥିଲେ । ମହିମା ଧର୍ମର ମହାନୀୟ ବାର୍ତ୍ତା ପୃଥିବୀକୁ ଶାନ୍ତିର ବାର୍ତ୍ତା ଦେଉଛି ବୋଲି କହିଥିଲେ । ମହିମା ସାଧୁ ନିତ୍ୟାନନ୍ଦ ବାବା, ଅବିନାଶ ବାବା, ରଘୁବାବା, ରମେଶ ବାବା ଯୋଗଦେଇ ଏପରି ଭବ୍ୟ ମନ୍ଦିର ନିର୍ମାଣ ମହିମା ଧର୍ମର ବିକାଶ ସହ ପର୍ଯ୍ୟଟନର ନୂଆ ସମ୍ଭlବନା ସୃଷ୍ଟି କରିବ ବୋଲି କହିଥିଲେ । ଏହି ଅବସରରେ ମହିମା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ‘ମହିମା ଦିପ୍ତୀ’ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଶେଷରେ ଜିଲ୍ଲାପାଳ ଢେଙ୍କାନାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ଧନ୍ୟବାଦ ଅର୍ପଣ କରିଥିଲେ l



