ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । କିଛି ଦିନର ନୀରବତା ପରେ ହର୍ମୋଜରେ ଗର୍ଜନ କରିଛି ମିସାଇଲ୍ ଏବଂ ଡ୍ରୋନ୍ ।ବିଶ୍ଵର ପ୍ରମୁଖ ଜଳମାର୍ଗ ହୋର୍ମୁଜରେ ୨୪ ଘଣ୍ଟା ଭିତରେ ୩ଟି ବାଣିଜ୍ୟିକ ଜାହାଜ ଉପରେ ମିସାଇଲ୍ ମାଡ଼ ହୋଇଛି। ଇରାନ ସେନା ଆଇଆରଜିସି (ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ) ଏହି ଆକ୍ରମଣ କରିଛି।
ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଜାହାଜ ୩ଟି କ୍ଷତିଗ୍ରସ୍ତ ହୋଇଛି। ଫଳରେ ୩ ସପ୍ତାହ ତଳେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ବୁଝାମଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଶାନ୍ତି ବୁଝାମଣା ଅନୁସାରେ ହୋର୍ମୁଜରେ କୌଣସି ଜାହାଜ ଉପରେ ଆକ୍ରମଣ କରିବ ନାହିଁ ବୋଲି ଇରାନ ପ୍ରତିଶ୍ରୁତି ଦେଇଥିଲା। ଇରାନ ମିସାଇଲ୍ ମାଡ଼ର ଶିକାର ହୋଇଥିବା ୩ଟି ଜାହାଜ ମଧ୍ୟରୁ ଗୋଟିଏ ହେଉଛି କତାରର ଏଲଏନଜି ଟ୍ୟାଙ୍କର ଏଆଇ ରେକାୟତ। ସୋମବାର ବିଳମ୍ବିତ ରାତିରେ ଓମାନର ଲିମା ଉପକୂଳ ଠାରୁ ୧୫ କି.ମି. ଦୂରରେ ଏହି ଟ୍ୟାଙ୍କରକୁ ଇରାନ ମିସାଇଲ୍ ମାଡ଼ କରିଛି। ଫଳରେ ଇଞ୍ଜିନ ରୁମରେ ନିଆଁ ଲାଗିଯାଇଛି। କିନ୍ତୁ ଟ୍ୟାଙ୍କରରେ ଥିବା ସବୁ ନାବିକ ସୁରକ୍ଷିତ ଅଛନ୍ତି। ନିଆଁ ଲାଗିବା ପରେ ଏହାର କ୍ୟାପଟେନ ତୁରନ୍ତ ସହାୟତା ଲାଗିଅନୁରୋଧ ଜଣାଇଛନ୍ତି। ସେମାନଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଆରମ୍ଭ ହୋଇଛି।
ଇଞ୍ଜିନ ରୁମରେ ନିଆଁ ଲାଗିଥିବାରୁ ଜାହାଜଟି ବିସ୍ପୋରଣ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ରିପୋର୍ଟ ଅନୁସାରେ ଇରାନର ନୌସେନା ଓମାନ ଉପକୂଳରେ ବିଛାଯାଇଥିବା ମାଇନ୍ସ ହଟାଉଥିବା ବେଳେ ସେହି ଅଞ୍ଚଳକୁ ଉକ୍ତ ଟ୍ୟାଙ୍କର ଚାଲି ଆସିଥିଲା। ସମ୍ପୃକ୍ତ ଅଞ୍ଚଳକୁ ନ ଆସିବା ଲାଗି ଇରାନ ନୌସେନା ବାରଣ କରିଥିଲେ ମଧ୍ୟ ଟ୍ୟାଙ୍କରଟି ଶୁଣି ନଥିଲା। ତେଣୁ ଉକ୍ତ ଟ୍ୟାଙ୍କର ଉପରେ ଆକ୍ରମଣ କରାଯାଇଛି । ସେହିଭଳି ସକାଳେ ଇରାନ ମିସାଇଲ୍ ମାଡ଼ର ଶିକାର ହୋଇଥିବା ଅନ୍ୟ ଜାହାଜଟି ହେଉଛି ସାଉଦି ପତାକା ଲାଗିଥିବା ତୈଳ ଟ୍ୟାଙ୍କର ୱେଡିୟନ। ମିସାଇଲ୍ ମାଡ଼ ଯୋଗୁ ଟ୍ୟାଙ୍କର କ୍ଷତିଗ୍ରସ୍ତ ହୋଇଛି।
ଆଇଆରଜିସି କହିଛି ଯେ ଏହି ଟ୍ୟାଙ୍କର ସତର୍କ ସୂଚନାକୁ ନ ମାନି ଆଗକୁ ବଢ଼ିବାରୁ ତାକୁ ଆକ୍ରମଣ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ମଧ୍ୟ ଇରାନ ସେନା ଅନ୍ୟ ଏକ ଟ୍ୟାଙ୍କର ଉପରେ ଆକ୍ରମଣ କରିଥିବାର ସୂଚନା ମିଳିଛି। ଏହି ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଟ୍ୟାଙ୍କର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଥିରେ ଥିବା ନାବିକମାନେ ସୁରକ୍ଷିତ ରହିଥିବା ଜଣାପଡିଛି। ଇରାନର ବିନା ଅନୁମତିରେ ହର୍ମୋଜ ଦେଇ ଯାତାୟତ କରୁଥିବା ଜାହାଜ ଉପରେ ଆକ୍ରମଣ କରାଯିବ ବୋଲି ଇରାନ ସେନା ଚେତାବନୀ ଦେଇଛି। ଗତ ୩ ଦିନ ଭିତରେ ହୋର୍ମୁଜ ଦେଇ ୧୦୮ଟି ଜାହାଜ ଯାତାୟତ କରିଛି।



