ଏ “BOSS” କିଏ କାହା ଦମ୍ ରେ ମାରୁଥିଲେ ଫୁଟାଣି,ଯାଞ୍ଚ୍ ହେବା ଜରୁରୀ।
ସାବଧାନ କେନ୍ଦୁଝର ଜିଲ୍ଲାରେ ବୁଲୁଛନ୍ତି BOSS, କିଏ ଏ BOSS, କାହା ବଳରେ ବଳୀୟାନ ଏ BOSS, କାହାକୁ ଖାତିର ନାହିଁ।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ଥାନା ଅନ୍ତର୍ଗତରେ ପୋଲିସ ପକ୍ଷରୁ ଚାଲୁରହିଛି କଡାକଡି ଗାଡ଼ି ଯାଞ୍ଚ । ଏହି ପରିପ୍ରେକ୍ଷୀରେ ଆଜି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଛକରେ ଯାଞ୍ଚ କରୁଥିବା ବେଳେ ପୋଲିସ ଝାଡ଼ଖଣ୍ଡ ପଞ୍ଜିକରଣ ନମ୍ବର ଥିବା ଏକ କଳା ଜିପ୍କୁ ଅଟକାଇଥିଲା, ଏହି
ଗାଡ଼ିଟିର ନମ୍ବର ପ୍ଲେଟ୍ ଦେଖି ପୋଲିସ ସହ ସ୍ଥାନୀୟ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସାଧାରଣ ନମ୍ବର ଥିବା ସ୍ଥାନରେ ଷ୍ଟାଇଲିସ୍ ଭାବରେ “JH 05 CJ BOSS” ଲେଖାଯାଇଥିଲା, ଯାହା ସ୍ପଷ୍ଟଭାବେ ନିୟମ ବିରୋଧୀ,ଓ ଆଞ୍ଚଳିକ ପ୍ରଶାସନ ଅଧିକାରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଥିବା ପରି ମନେହୁଏ ।
ନିୟମ ଅନୁଯାୟୀ ସମସ୍ତ ଯାନରେ କେବଳ ମାନକ ଉଚ୍ଚ ସୁରକ୍ଷା ନମ୍ବର ପ୍ଲେଟ୍ (HSRP) ବ୍ୟବହାର କରିବା କଥା। ଫ୍ୟାନ୍ସି, ଡିଜାଇନର୍ କିମ୍ବା ପରିବର୍ତ୍ତିତ ନମ୍ବର ପ୍ଲେଟ୍ ବ୍ୟବହାର କରିବାକୁ ଆଇନ ଦ୍ୱାରା ବହୁ ବର୍ଷ ପୂର୍ବରୁ ନିଷିଦ୍ଧ କରାଯାଇଛି। “BOSS” କିମ୍ବା “KING” ଭଳି ଶବ୍ଦ ଲେଖିବା ମଧ୍ୟ ବେଆଇନ।
ପୋଲିସ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିବା ସହ ମୋଟର ଯାନ ଆଇନ ଅନୁଯାୟୀ ଯାନ ମାଲିକଙ୍କ ବିରୋଧରେ ଚାଲାଣ କାଟିବା ପ୍ରକ୍ରିୟା ଆରମ୍ଭ କରିଥିବା ନେଇ ସୂଚନା ରହିଛି।
ଉଲ୍ଲେଖନୀୟ ଯେ, ସମ୍ପ୍ରତି ଏହି ଅଞ୍ଚଳରେ ହୋଇଥିବା ଯାଞ୍ଚ ସମୟରେ ଏକ ଥାର ଗାଡ଼ି ମଧ୍ୟ ଧରାପଡ଼ିଥିଲା। ଏହା ବିରୋଧରେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଚାଲିଥିବା ସ୍ପଷ୍ଟ ସୂଚନା ରହିଛି।
ତେବେ ପ୍ରଶ୍ନ ଉଠୁଛି, କିଛି ଲୋକ ଏବେ ମଧ୍ୟ ଆଇନକୁ ଅବହେଳା କରୁଛନ୍ତି କାହିଁକି ଓ ଏହା ପଛର ରହସ୍ୟ କଣ? ପୋଲିସ ପ୍ରଶାସନର ଏହିକଡା ଯାଞ୍ଚ ଆଗାମୀ ଦିନରେ ମଧ୍ୟ ଜାରି ରହିବ କି ନାହିଁ, ତାହାକୁ ନେଇ ସ୍ଥାନୀୟ ମହଳରେ ଚର୍ଚ୍ଚା ଚାଲିଛି। ତେବେ ଆଞ୍ଚଳିକ ପ୍ରଶାସନ ଏହି ସବୁ ଘଟଣାକୁ ଗୁରୁତ୍ଵର ସହ ନେଇ ନିୟମିତ କଡାକଡି ଯାଞ୍ଚ କରାଗଲେ ଏହିଭଳି ଅମାନିଆ ଲୋକଙ୍କ ଅଙ୍କୁଶ ଲଗାଯାଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



