ହାଇଦରାବାଦ: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ କନ୍ୟା ତଥା ପୂର୍ବତନ ବିଧାୟିକା କେ.କବିତା ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି। ନୂତନ ଦଳର ନାମ ଟିଆରଏସ (ତେଲଙ୍ଗାନା ରାଷ୍ଟ୍ର ସେନା) ରଖାଯାଇଛି। ଶନିବାର ମେଦଚାଲ ଜିଲା ଅନ୍ତର୍ଗତ ମୁନିରାବାଦଠାରେ ଆୟୋଜିତ ଉତ୍ସବରେ କବିତା ଦଳ ଗଠନ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିବାବେଳେ ଦଳର ପତାକାକୁ ଉନ୍ମୋଚନ କରିଛନ୍ତି।
ତେଲଙ୍ଗାନାର ୩୩ଟି ଜିଲାରୁ ପ୍ରାୟ ୫୦ ହଜାର ସମର୍ଥକ ଏହି ଉତ୍ସବରେ ଯୋଗଦେଇଥିବା ଜଣାପଡିଛି।ସୂଚନାଯୋଗ୍ୟ ସ୍ବତନ୍ତ୍ର ତେଲଙ୍ଗାନା ରାଜ୍ୟ ଗଠନ ଲକ୍ଷ୍ୟରେ କବିତାଙ୍କ ପିତା କେସିଆର ୨୦୦୧ରେ ପ୍ରଥମେ ଟିଆରଏସ (ତେଲଙ୍ଗାନା ରାଷ୍ଟ୍ର ସମିତି) ନାମରେ ଦଳ ଗଠନ କରିଥିଲେ। ତେବେ ୨୦୨୨ରେ ଏହାର ନାମ ‘ଭାରତ ରାଷ୍ଟ୍ର ସମିତି’କୁ ପରିବର୍ତ୍ତନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପିତାଙ୍କ ଦ୍ବାରା ସ୍ଥାପିତ ଟିଆରଏସ୍ ନାମକୁ ଚର୍ଚ୍ଚାରେ ରଖିବାକୁ କବିତା ନୂଆ ଦଳର ନାମକୁ ମଧ୍ୟ ଟିଆରଏସ୍ ରଖିଛନ୍ତି। ପିତା କେସିଆର ଏବଂ ଭାଇ କେ.ଟି.ରାମା ରାଓଙ୍କ ସହ ମତାନ୍ତର ଘଟିବା ଏବଂ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ କବିତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା।ଫଳରେ ୨୦୨୫ ସେପ୍ଟେମ୍ବର ୩ରେ କବିତା ଭାରତ ରାଷ୍ଟ୍ର ସମିତି ଏବଂ ବିଧାୟିକା ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଦଳ ତେଲଙ୍ଗାନାର ଯୁବଗୋଷ୍ଠୀ, କୃଷକ, ମହିଳାଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେବ ବୋଲି କବିତା କହିଛନ୍ତି। ୨୦୨୯ରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ କବିତା ନିଜ ଦଳର ସାଂଗଠନିକ ବ୍ୟବସ୍ଥାକୁ ସୁଦୃଢ କରିବାର ଯଥେଷ୍ଟ ସମୟ ପାଇବେ ବୋଲି ଆଶା କରାଯାଉଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-24-scaled.jpg)

