ଅସହାୟ ଶିଶୁଙ୍କ ପାଇଁ ଦେବଦୂତ ସାଜିଲା ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଙ୍ଘ
ଅନୁଗୋଳ:ଅସହାୟ ଶିଶୁଙ୍କ ପାଇଁ ସହାୟତାର ହାତ ବଢ଼ାଇ ମାନବିକତାର ଅଦ୍ଭୁତ ପରିଚୟ ଦେଇଛି ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଙ୍ଘ। ବାପା-ମାଆଙ୍କୁ ହରାଇ ଦୁର୍ଦ୍ଦଶାରେ ଜୀବନ କାଟୁଥିବା ଦୁଇ ଅନାଥ ଶିଶୁଙ୍କ ଦୁଃଖଦ କାହାଣୀ ଜାଣିବା ପରେ ସଙ୍ଘ ପକ୍ଷରୁ ସେମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଇଛି।ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡ଼ା ପଞ୍ଚାୟତର କମାରସାହି ଗ୍ରାମରେ ବସବାସ କରୁଥିବା ୧୧ ବର୍ଷ ଓ ୭ ବର୍ଷର ଦୁଇ ଶିଶୁ ୨୦୨୧ ମସିହାରେ ନିଜ ବାପାଙ୍କୁ ହରାଇଥିଲେ। ପରେ ତାଙ୍କ ମାଆ ମଧ୍ୟ ଅନ୍ୟତ୍ର ଚାଲିଯାଇଥିବାରୁ ଶିଶୁ ଦୁଇଜଣ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ।ଶିଶୁ ଦୁଇଜଣଙ୍କ ଲାଳନ-ପାଳନ ପାଇଁ ବଡ଼ ମା’ ଆଗକୁ ଆସିଥିଲେ ମଧ୍ୟ ତାଙ୍କ ଆର୍ଥିକ ସ୍ଥିତି ମଧ୍ୟ ଅତ୍ୟନ୍ତ ଦୟନୀୟ। ପର ଘରେ କାମ କଲେ ଯାହା ମିଳେ ସେଥିରେ କଷ୍ଟେମଷ୍ଟେ ପରିବାର ଚାଲୁଥିଲା। ପଡ଼ୋଶୀମାନେ କେବେ କେବେ ସାହାଯ୍ୟ କରୁଥିଲେ ମଧ୍ୟ ଶିଶୁମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଥିଲା। ଏହି କରୁଣ ଘଟଣା ସମ୍ପର୍କରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ମାଧ୍ୟମରେ ଜିଲ୍ଲା ସାମ୍ବାଦିକ ସଙ୍ଘ ଅବଗତ ହୋଇଥିଲା।ଖବର ପାଇବା ପରେ ସଙ୍ଘର ସଭାପତି ଶ୍ରୀ ଅଜିତ କୁମାର ଧରଙ୍କ ନିର୍ଦ୍ଦେଶକ୍ରମେ ସଦସ୍ୟମାନେ ଶିଶୁ ଦୁଇଜଣଙ୍କ ପାଖକୁ ପହଞ୍ଚି ଖାଦ୍ୟ ସାମଗ୍ରୀ, ପୋଷାକ ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରିଥିଲେ। ଏହା ସହିତ ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଶିକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଶିଶୁ ମଙ୍ଗଳ କମିଟି (CWC) ସହ ଆଲୋଚନା କରି ସରକାରୀ ଯୋଜନାରେ ସାମିଲ କରିବା ଓ ଉପଯୁକ୍ତ ଆଶ୍ରୟସ୍ଥଳୀରେ ରଖିବାକୁ ସଙ୍ଘ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ସରକାରଙ୍କ ‘ଆଶୀର୍ବାଦ’ ଯୋଜନା ମାଧ୍ୟମରେ କିପରି ସହାୟତା ମିଳିପାରିବ ସେଥିପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି।ସାମ୍ବାଦିକ ସଙ୍ଘର ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଇଛି। କେବଳ ଖବର ପରିବେଷଣ ନୁହେଁ, ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ମଧ୍ୟ ସଙ୍ଘ ପକ୍ଷରୁ ସାର୍ଥକ ଭାବେ ପ୍ରମାଣ କରାଯାଇଛି।ଏହି ଅବସରରେ ସଙ୍ଘର ସଭାପତି ଶ୍ରୀ ଅଜିତ କୁମାର ଧର,ଉପସଭାପତି ସୁଧାକର ସାହୁ, ବରିଷ୍ଠ ସଦସ୍ୟ ରାଜେଶ କୁମାର ପାତ୍ର, ଅନିଲ କୁମାର ବେହେରା, ଅମୂଲ୍ୟ କୁମାର ସାହୁ ଓ ଦାମୋଦର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ଶିଶୁମାନଙ୍କୁ ଉତ୍ସାହିତ କରିବା ସହ ସମାଜର ସହୃଦୟ ବ୍ୟକ୍ତିମାନଙ୍କୁ ଅସହାୟଙ୍କ ସାହାଯ୍ୟ ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ।ସଙ୍ଘର ଏହି ପ୍ରୟାସ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି।




