କମୁଛି ଭୂତଳ ଜଳସ୍ତର, ବଢ଼ୁଛି ପାନୀୟ ଜଳସମସ୍ୟା
ତାଳଚେର, ୦୪/୦୫ କିଛି ବର୍ଷ ହେବ ଭୂତଳ ଜଳସ୍ତର କମୁଥିବା ବେଳେ ପାନୀୟଜଳ ସମସ୍ୟା ଏହି ଅଂଚଳରେ ବୃଦ୍ଧି ପାଇବାର ଦେଖାଯାଉଛି । ଏନେଇ ବ୍ଲକର ଲୋକମାନେ ମଧ୍ୟରେ ଦିନକୁ ଦିନ ହତାଶ ଭାବ ସୃଷ୍ଟି ହେଉଛି । ଯେପରିକି, ୪ରୁ ୫ଥର ନଳକୂପ ମାରିଲେ ଗୋଟେ ବାଲ୍ଟି ଟିଏ ପାଣି ହୁଏ । କିନ୍ତୁ ଏବେ ମାରିମାରି ଥମିକଗଲେ ମଧ୍ୟ ପାଣି ବାଲଟିଏ ହେବା କଷ୍ଟକର ହୋଉଛି, ଯାହାକି ଏହି ପାଣି ବ୍ୟବହାର ଉପଯୋଗୀ ନୁହେଁ । ତେଣୁ ଲୋକମାନେ ପାନୀୟଜଳ ଯେତେ ସହଜରେ ପାଇ ପାରୁଥିଲେ ତାହା ଏବେ ଆଉ ସମ୍ଭବ ହେଉ ନାହିଁ । ଭୂତଳ ଜଳସ୍ତର କମିବା ଏହାର ମୁଖ୍ୟ କାରଣ ବୋଲି ଲୋକାମାନେ କହୁଛନ୍ତି । ପାନୀୟ ଜଳ ବିଭାଗ ଓ ପଂଚାୟତିରାଜ ବିଭାଗ ଦ୍ୱାରା ନଳକୂପ ଖନନ, ପାନୀୟଜଳ ଯୋଗାଣ କରାଯାଉଥିଲେ ମଧ୍ୟ ତାହା ସଠିକ୍ ରୂପାୟନ ହୋଇପାରୁ ନାହିଁ । ଭୂତଳ ଜଳସ୍ତର ବଢ଼ାଇବା ପାଇଁ ପୋଖରୀ ଖନନ, ପ୍ରଚୁର ବୃକ୍ଷରୋପଣ, ଆଡ଼ିବନ୍ଧ ଇତ୍ୟାଦି ଦୀର୍ଘ ମିଆଦି ଯୋଜନା ମାଧ୍ୟମରେ ବର୍ଷାଜଳ ସଂଚୟ କରାଯାଇପାରନ୍ତା । କିନ୍ତୁ ବର୍ଷାଜଳ ସଂଚୟ ପରିବର୍ତେ ପୋଖରୀ ଓ ଖାଲ ଜମି ପୋତାଯାଇ ଗୃହ ନିର୍ମାଣ କରାଯାଇଥିବାର ଦେଖିବାକୁ ମିଳିଛି । ଫଳରେ ବର୍ଷାଜଳ ସଂଚୟ ହୋଇନପାରି ନିମ୍ନଗାମୀ ହୋଇ ବୋହି ଯାଉଛି । ସରକାରୀ ସ୍ତରରେ ପୋଖରୀ ଖନନ ଓ ଜଳାଶୟ ଉଦ୍ଧାର କରାଯିବାରୁ ଅନୁଦାନ ଥିଲେ ମଧ୍ୟ ତାହା ଧର୍ମକୁ ଆଖିଠାର ପରି କାର୍ଯ୍ୟ କରାଯାଇଛି । ରକ୍ଷଣାବକ୍ଷଣା ଅଭାବରୁ ଜଳାଶୟ ଗୁଡ଼ିକ ପୋତିହୋଇ ପଡ଼ୁଥିବା ବେଳେ ଜଳସ୍ତର ବଢ଼ାଇବା ପାଇଁ ବର୍ଷଜଳ ହିଁ ନିତ୍ୟାନ୍ତ ଆବଶ୍ୟକ । ଏପରି ଏହି ବର୍ଷାଜଳକୁ ଠିକ୍ ସମୟରେ ସଦୁପଯୋଗ କରାଯାଇ ପାରୁନଥିବାରୁ ଭୂତଳ ଜଳ ପୂର୍ଣ୍ଣ ହୋଇନପାରି ତଳକୁ ବୋହି ଯାଉଛି । ଆହୁରି ମଧ୍ୟ ପୂର୍ବରୁ ମଧ୍ୟ ଖରାଦିନେ ନଦୀ ଗୁଡ଼ିକରେ ପାଣି ରହୁଥିଲା । ଲୋକମାନେ ପାନୀୟଜଳ ରୂପେ ବ୍ୟବହାର କରିବା, ଗାଧୁଆ, ପାଧୁଆ କରିବା ସହିତ ନଦୀକୁ ନିର୍ଭରକରି ଚାଷବାସ କରୁଥିଲେ ଓ ଗୋରୁଗାଈ ମାନଙ୍କୁ ଧୋଉଥିଲେ । କିନ୍ତୁ ଏବେ ନଦୀ ଗୁଡ଼ିକ ପୋତିହୋଇ ପଡ଼ିବା ସହିତ ସେଥିରେ ବିଶେଷ ପାଣି ରହୁନାହିଁ । ଭୂତଳ ଜଳକୁ କମ୍ପାନୀ ଓ ଶିଳ୍ପ କଳକାରଖାନା ଗୁଡ଼ିକ ଶୋଷି ନେଉଥିବାରୁ ଜଳସ୍ତର ମଧ୍ୟ କମିବାରେ ଲାଗିଛି ବୋଲି କୁହାଯାଉଛି । ଫଳରେ ଭୂତଳ ଜଳ ଦିନକୁ ଦିନ କମୁଥିବା ବେଳେ ପାନୀୟଜଳ ସମସ୍ୟା ବୃଦ୍ଧି ପାଉଛି । ତେବେ ବର୍ତମାନ ଭୂତଳ ଜଳବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ କୌଣସି ଯୋଜନା କାର୍ଯ୍ୟକ୍ଷମ ହେଉନଥିବା ଅଭିଯୋଗ ହେଉଛି । ପୋଖରୀ ପାଣି ବୃଦ୍ଧି ହେଲେ ସେହି ନଳକୂପ ସହିତ ସଂଯୋଗ କରାଯାଇଥିବା ସୁଡ଼ଙ୍ଗ ବାଟଦେଇ ପାଣି ଭୂତଳକୁ ପ୍ରବେଶ କରିବ । ସେହିପରି ସରକାରଙ୍କ ପକ୍ଷରୁ ବିଗତ ବର୍ଷା ଦିନ ଗୁଡ଼ିକରେ ଘରର ଛାତରେ ଜଳ ସଂଗ୍ରହ କରି କରିବାପାଇଁ ଅଂଟା ଭିଡ଼ିଥିବା ବେଳେ ତାହା ଏବେ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ପ୍ରକୃତରେ ଯୋଜନା ଗୁୁଡ଼ିକ ଯଦି ଠିକଭାବେ କାର୍ଯ୍ୟକାରୀ କରାଯାଏ ତେବେ ଭୂ-ତଳ ଜଳସ୍ତର ବୃଦ୍ଧି ପାଇବ ବୋଲି ପରିବେଶବିତ ମାନେ ମତପ୍ରକାଶ କରିଛନ୍ତି ।



