ଉଦ୍ଯାପିତ ହେଲା ତାଳଚେର ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା
ତାଳଚେର, ୦୪/୦୫ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଚାଲିଥିବା ତ୍ରିଦିବସୀୟ ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ରବିବାର ଉଦ୍ଯାପିିତ ହୋଇଯାଇଛି । ତାଳଚେର ସଙ୍କୁଳ ସଂଯୋଜକ ତଥା ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ବାବୁଲି କୁମାର ସାମଲଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳମଛୁଇଁ, ବଡଯୋରଡ଼ା, ଆମ୍ବମୁଣ୍ଡା, ତାଳଚେର, ଦେଉଳବେଡା, ବିକ୍ରମପୁର, ନୂଆଁ ଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୫୪ ଜଣ ଆଚାର୍ଯ୍ୟ, ଆଚାର୍ଯ୍ୟା ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ଉଦ୍ଯାପନୀ ସମାରୋହରେ ତାଳଚେର ସଙ୍କୁଳ ସଂଯୋଜକ ବାବୁଲି ସାମଲ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ବକ୍ତା ଭାବରେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ମଧ୍ୟ ସଂଭାଗର ସଭାପତି ପରେଶ ଚନ୍ଦ୍ର ପଟ୍ଟନାୟକ ଓ ସମ୍ମାନୀତ ଅତିଥି ଭାବରେ କଳମଛୁଇଁ ଶିଶୁମନ୍ଦିରର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କଳମଛୁଇଁ ଶିଶୁ ମନ୍ଦିରର କାର୍ଯ୍ୟକାରୀ ପ୍ରଧାନ ଆଚାର୍ଯ୍ୟ ଅନୀଲ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀ ପଟ୍ଟନାୟକ ନିଜ ଅଭିଭାଷଣରେ ଆଧ୍ୟାତ୍ମିକ ତତ୍ତ୍ୱକୁ ଆଧାର କରି ଶିକ୍ଷାର ମାନ ବିକାଶ କରିବା ସହ ନୈତିକ ମୂଲ୍ୟବୋଧକୁ ଜାତୀୟ ଶିକ୍ଷାନୀତିରେ ପ୍ରୟୋଗ କରି ଏକ ସୁସ୍ଥ ସମାଜ ଗଠନ କରିବା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶିକ୍ଷା ବିକାଶ ସମିତି,ଓଡ଼ିଶାଙ୍କ ଯୋଜନା ଅନୁଯାୟୀ ଏହି କାର୍ଯ୍ୟଶାଳାରେ ପଂଚପଦୀ ଶିକ୍ଷଣ ବ୍ୟବସ୍ଥା ସହ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ସମ୍ବଦ୍ଧରେ ଆଚାର୍ଯ୍ୟ, ଆଚାର୍ଯ୍ୟାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ପ୍ରାନ୍ତ ବୈଦିକ ଗଣିତ ଶୈକ୍ଷିକ ସଂଯୋଜକ ପ୍ରସନ୍ନ କୁମାର ସାହୁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପ୍ରାନ୍ତ ମାଧ୍ୟମିକ ବିଭାଗ ଶୈକ୍ଷିକ ସଂଯୋଜକ କୈଳାସ ଚନ୍ଦ୍ର ମିଶ୍ର, ଅନୁଗୋଳ ଜିଲ୍ଲା ପ୍ରମୁଖ ପ୍ରତାପ ଚନ୍ଦ୍ର ଦେହୁରୀ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବଡ଼ଯୋରଡ଼ା ଶିଶୁମନ୍ଦିରର ପ୍ରଧାନାଚାର୍ଯ୍ୟ ଗୌରଚନ୍ଦ୍ର ନନ୍ଦ, ନୂଆ ଗାଁ ଶିଶୁମନ୍ଦିରର ପ୍ରଧାନାଚାର୍ଯ୍ୟ ପ୍ରଦୀପ ଦାସ, ବିକ୍ରମପୁର ଶିଶୁମନ୍ଦିରର ପ୍ରଧାନାଚାର୍ଯ୍ୟ ଜ୍ଞାନରଞ୍ଜନ ଦାଶ ପ୍ରମୁଖ ସହଯୋଗ କରିଥିଲେ । ସର୍ବଶେଷରେ କଳମଛୁଇଁ ଶିଶୁମନ୍ଦିରର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

May 4, 2026/
No Comments


