ଫୁଲ୍ ଏବଂ ଫାଇନାଲ ପ୍ରାପ୍ୟ ଦାବିରେ ନାଲକୋ ସ୍ମେଲଟର ଫାଟକ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ବଅଁରପାଳ: ଅନୁଗୋଳ ଜିଲ୍ଲାର ନବରତ୍ନ କମ୍ପାନୀ ନାଲକୋରେ ପୁଣିଥରେ ଶ୍ରମିକ ଅସନ୍ତୋଷ ସାମ୍ନାକୁ ଆସିଛି। ଫୁଲ ଏବଂ ଫାଇନାଲ ପ୍ରାପ୍ୟ ଦୀର୍ଘ ୧୮ ମାସ ଧରି ମିଳୁନଥିବା ଅଭିଯୋଗରେ ସୋମବାର ନାଲକୋ ସ୍ମେଲଟର ଫାଟକ ସମ୍ମୁଖରେ ୧୭ ଜଣ ଶ୍ରମିକ ଧାରଣାରେ ବସିଛନ୍ତି।ସୂଚନା ଅନୁଯାୟୀ, ଇଲେକ୍ଟ୍ରୋକେୟାର ପ୍ରାଇଭେଟ୍ ଲିମିଟେଡ୍ ଅଧୀନରେ ଏସି ମେଣ୍ଟେନାନ୍ସ କାମରେ ନିୟୋଜିତ ଏହି ଶ୍ରମିକମାନେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିବା କହିଛନ୍ତି। ସବୁଆଡୁ ନିରାଶ ହେବା ପରେ ବାଧ୍ୟ ହୋଇ ଧାରଣାରେ ବସିଥିବା ସେମାନେ କହିଛନ୍ତି।ଶ୍ରମିକମାନଙ୍କ ଅଭିଯୋଗ ଅନୁସାରେ, ଏହା ପୂର୍ବରୁ ମଧ୍ୟ ୩ ମାସର ବକେୟା ଦରମା ପାଇଁ ବିଭିନ୍ନ ବିଭାଗକୁ ଦୌଡ଼ଦୌଡ଼ି ୧୧ ମାସ ପରେ ଦରମା ମିଳିଥିଲା। ଏହାକୁ ନେଇ ନାଲକୋ ପ୍ରଶାସନ ଉପରେ ସେମାନଙ୍କର ଭରସା ରହିନଥିବା ଧାରଣାକାରୀମାନେ ପ୍ରକାଶ କରିଛନ୍ତି।ତୁରନ୍ତ ଶ୍ରମିକମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇ ସ୍ଥାୟୀ ସମାଧାନ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।




