ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ୍ ତାଳଚେର ଷ୍ଟେସନ୍ ଦେଇ ଯିବା ପାଇଁ ଏଆରଏମ୍ ଜରିଆରେ ଦାବୀପତ୍ର ପ୍ରଦାନ
ତାଳଚେର, ୧୮/୦୫ ନୂତନ ଭାବେ ଚାଲିବାକୁ ଥିବା ପୁରୀ-କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ତାଳଚେର ଷ୍ଟେସନ୍ ଦେଇ ଯିବା ପାଇଁ ଜନବିକାଶ କଲ୍ୟାଣ ସଂଘ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଆରଏମ୍ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି । ତାଳଚେରରେ ଏମ୍.ସି.ଏଲ୍., ଏନଟିପିସି, ଭାରିଜଳ ପ୍ରକଳ୍ପ, ତାଳଚେର ସାରକାରଖାନା ଏବଂ ଅନ୍ୟାନ୍ୟ ଘରୋଇ କଂପାନୀ ଦୃତ ମାତ୍ରାରେ ବଢ଼ି ଚାଲିଛି । ଯାହାକି ତାଳଚେରର ଲୋକମାନେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ବିପୁଳ ମାତ୍ରାରେ ରାଜସ୍ୱ ଦେଉଛନ୍ତି । ଦୃତ ଶିଳ୍ପାୟନ ଯୋଗୁଁ ଦେଶବ୍ୟାପୀ ଅନେକ ଲୋକ ତାଳଚେରକୁ ସ୍ଥାନାନ୍ତରିତ ହେଉଛନ୍ତି । ଦିନକୁ ଦିନ ଜନ ସଂଖ୍ୟା ବୃଦ୍ଧି ପାଉଛି । ଯୋଗାଯୋଗ ଦୃଷ୍ଟିରୁ ତାଳଚେର ଓଡିଶାର ଅନ୍ୟ ସହର ତୁଳନାରେ ବହୁତ ପଛରେ ଅଛି । କାରଣ ସମସ୍ତ ଏକ୍ସପ୍ରେସ୍ ଟ୍ରେନ୍ ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକରେ ଥିବା ତାଳଚେର ରୋଡ୍ ଷ୍ଟେସନ୍ ଦେଇ ଚଳାଚଳ କରୁଛି । ଯେହେତୁ ତାଳଚେର ରୋଡ୍ ଷ୍ଟେସନ୍ ତାଳଚେର ସହର ଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ । ଯାହା ସାଧାରଣ ଲୋକଙ୍କ ପାଇଁ ସମ୍ଭବ ନୁହେଁ । ଅଟୋ ଭଡା ପ୍ରାୟ ୫ଶହ ଟଙ୍କା ଆଦାୟ କରାଯାଉଛି । ତାଳଚେରରୁ ତାଳଚେର ରୋଡ୍ ଷ୍ଟେସନ୍ କୁ ଯୋଗାଯୋଗର ଅଭାବ ଯୋଗୁଁ ବିଗତ ଦିନରେ ତାଳଚେର ରୋଡ୍ ଷ୍ଟେସନ୍ କୁ ଯାଉଥିବା ସମୟରେ ଜଣେ ଝିଅକୁ ବଳାତ୍କାର ଏବଂ ହତ୍ୟା କରାଯାଇଥିଲା । କାରଣ ତାଳଚେର ଷ୍ଟେସନ ରେ ଦିନ ସମୟରେ କୌଣସି ଟ୍ରେନ୍ ନଥିଲା । ଅଧିକ ଜନସଂଖ୍ୟା ହେତୁ ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟା, ଶିକ୍ଷା ଏବଂ ବ୍ୟବସାୟିକ ଉଦ୍ଦେଶ୍ୟ ପାଇଁ ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସ୍ଥାନକୁ ଯାତାୟତ କରୁଛନ୍ତି । ଏହାକୁ ଉପଲବଧି କରି ତାଳଚେର ଷ୍ଟେସନ୍ ଦେଇ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ପୁରୀ-କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ନଂ-୧୮୪୦୭ ଓ ୧୮୪୦୮ ସମେତ ଅନ୍ୟାନ୍ୟ ସମସ୍ତ ଇଂଟରସିଟି ଓ ଏକ୍ସପ୍ରେସ୍ ଟ୍ରେନ୍ ଗୁଡିକ ତାଳଚେର ଷ୍ଟେସନ୍ ଦେଇ ଯାତାୟତ କରିବା ପାଇଁ ଦାବୀ କରାଯାଇଛି । ଏହା ସହିତ ଅନୁଗୋଳ-ପୁରୀ ମେମୁ ଏବଂ ତାଳଚେର-ପୁରୀ ମେମୁ ପାସେଞ୍ଜର ଟ୍ରେନ୍ର ସଠିକ୍ ସମୟରେ ପହଂଚାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ଆଜିର ଏହି ଦାବୀପତ୍ର ପ୍ରଦାନ ସମୟରେ ଜନ ବିକାଶ କଲ୍ୟାଣ ସଂଘର ସଭାପତି ଭୂପେନ୍ ଥମ୍ବଙ୍କ ସମେତ ଜିତେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।



