ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରକୁ ଦୁଇ ବର୍ଷ ପୂରିବା ପୂର୍ବରୁ ମନରେଗା ଶ୍ରମିକଙ୍କ ପାଇଁ ବଢିଲା ମଜୁରୀ । ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମନରେଗା ଅଧୀନରେ କାମ କରୁଥିବା ବିଭିନ୍ନ ଶ୍ରେଣୀର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି । ନିର୍ଦ୍ଧାରିତ ମଜୁରୀକୁ ପ୍ରତିଦିନ ୧୦ ଟଙ୍କା ବଢାଯାଇଛି ।
ନୂତନ ଦର ଅନୁଯାୟୀ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୫୨୨ ଟଙ୍କା, କୁଶଳି ଶ୍ରମିକଙ୍କ ୫୭୨ ଟଙ୍କା ଏବଂ ଉଚ୍ଚ କୁଶଳି ଶ୍ରମିକଙ୍କ ମଜୁରୀ ୬୨୨ ଟଙ୍କା କରାଯାଇଛି । ଏହି ସଂଶୋଧିତ ଦର ଏପ୍ରିଲ ୨୦୨୬ ଠାରୁ ଲାଗୁ କରିବାକୁ ଅତିରିକ୍ତ ସଚିବ ଅରୂପ କୁମାର ସାହୁ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ସିଡିଓ ଏବଂ ବିଡିଓମାନଙ୍କୁ ଚିଠି ଲେଖି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।



