ନିଶାସକ୍ତ ଯୁବକର ଅମାନୁଷିକ କାଣ୍ଡ, ଗାଈ ଘରେପଶି ଚାଉଳ ଖାଇବାରୁ ବିନ୍ଧିଲାତୀର।
ଯୁବକର ଅମାନୁଷିକ କାଣ୍ଡ ଚାଉଳ ଖାଇଦେଲା ବୋଲି ଗାଇ ବେକରେ ତୀର ବିନ୍ଧିଦେଲା ଯୁବକ । ଘରେ ପଶି ଚାଉଳ ଏବଂ ଭାତ ଖାଇଗଲା ବୋଲି ଗାଇକୁ ତୀର ମାରି ଲହୁଲୁହାଣ କଲା ଜଣେ ଯୁବକ । ଏଭଳି ଏକ ଅମାନବୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ାବ୍ଳକ ଅନ୍ତର୍ଗତ ବଡ଼କାଳିମାଟି ପଞ୍ଚାୟତ ହାଣ୍ଡିଭଙ୍ଗା ଗ୍ରାମରେ । ଗ୍ରାମର ରଇବୁ ମୁଣ୍ଡାଙ୍କ ଘରେ ଗାଇପଶି ତାଙ୍କ ଘରୁ ଚାଉଳ ଏବଂ ଭାତ ଖାଇ ଦେଇଥିଲା । ସେତେବେଳେ ନିଶାସକ୍ତ ଅବସ୍ଥାରେ ଘରେ ଶୋଇଥିଲା ରଇବୁ । ଘରର କବାଟ ଖୋଲାଥିବା ବେଳେ, ଗାଇ ଘରେ ପଶି ପ୍ରଥମେ ଗୋଟିଏ ବସ୍ତାରେ ଥିବା ୨୦ କେଜି ଚାଉଳରୁ ପାଖାପାଖି ୧୦ କେଜି ଚାଉଳ ଖାଇ ଦେଇଥିଲା । ଏହାପରେ, ଘରେ ଥିବା ଭାତ ମଧ୍ୟ ଖାଇ ଦେଇଥିଲା ଗାଇ । ରଇବୁ, ହଠାତ ଉଠି ଗାଇ ଭାତ ଖାଉଥିବା ଦେଖି ଘରେ ଥିବା ଧନୁତୀର ଆଣି ଗାଇ ବେକରେ ବିନ୍ଧି ଦେଇଥିଲା । ଫଳରେ, ଗାଇ ଲହୁଲୁହାଣ ହୋଇଥିଲା । ଗାଇର ଏପରି ଅବସ୍ଥା ଜାଣିବା ପରେ ଗାଇ ମାଲିକ ନଟବର ବାରିକ ବାମେବାରୀ ପୋଲିସକୁ ଖବର ଦେବାସହ, ବେକରେ ତୀରପଶି ଗାଇ ଗୁରୁତର ଥିବାରୁ ଗାଇକୁ ଏକ ପିକଅପ୍ ଭ୍ୟାନରେ ଭଣ୍ଡା ଡ଼ାକ୍ତରଖାନାକୁ ନେଇ ଚିକିତ୍ସିତ କରାଇଛନ୍ତି । ଶିକ୍ଷାର ଅଭାବ ସାଙ୍ଗକୁ ନିଶାଗ୍ରସ୍ତ ହୋଇ ଯୁବପୀଢ଼ୀ ହିତାହିତ ଜ୍ଞାନ ହରାଇ ଏଭଳି ଅମାନୁଷିକ କାର୍ଯ୍ୟ କରିବାକୁ ପଛାଉ ନାହାଁନ୍ତି । ଯାହା, ସ୍ଥାନୀୟ ଅଞ୍ଚଳରେ ଚିନ୍ତାର କାରଣ ପାଲଟିଛି । ଘଟଣା ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ବାମେବାରୀ ପୋଲିସ୍ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



