ଢେଙ୍କାନାଳ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ‘ନିତି ଆୟୋଗ‘ ନିକଟରେ ସତନ୍ତ୍ର ଆକ ପ୍ୟାକେଜ ଦାବି
ଢେଙ୍କାନାଳ, ୪/୫: ଢେଙ୍କାନାଳ ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ ତରଫରୁ ଢେଙ୍କାନାଳ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରଧାନମନ୍ତ୍ରୀ ତଥା ନିତି ଆୟୋଗର ଅଧ୍ଯକ୍ଷଙ୍କ ନିକଟରେ ସତନ୍ତ୍ର ଆର୍ଥିକ ପ୍ୟାକେଜ ପ୍ରଦାନ କରିବାପାଇଁ ଦାବି କରାଯାଇଛି । ସରକାର ପରେ ସରକାର ଢେଙ୍କାନାଳ ଜିଲ୍ଲା ପ୍ରତି ସାବତ ମାତାଙ୍କ ସଦୃଶ ଅବହେଳା କରୁଛନ୍ତି ବୋଲି ସଂଗଠନର ସଭାପତି ପ୍ରଫେସର ଡାକ୍ତର ତୁଷାର କାନ୍ତ ନାୟକ, ଉପସଭାପତି ରୁଦ୍ର ପ୍ରକାଶ ଶରଣ, ସରୋଜ ଶତପଥୀ ଏବଂ ବରିଷ୍ଠ ସଦସ୍ୟ ବିନୟ କୁମାର ସାହୁ, ପୁଷ୍ପାଞ୍ଜଳି ପାଢ଼ୀ, ଗୀତା ସାମଲ ପଠାଇଥୁବା ୧୦ ଦଫା ସମ୍ବଳିତ ଦାବିପତ୍ରରେ ଦର୍ଶାଇଛନ୍ତି । ଏହାର ନକଲ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଯାଇଛି ଏବଂ ଜିଲ୍ଲାପାଳ ମାନଙ୍କୁ ଦିଆ ଯାଇଛି । ଦାବି ଗୁଡିକ ହେଲା : (୧) ଜିଲ୍ଲାରେ ଏଯାବତ୍ ସରକାରୀ ବିଶ୍ଵବିଦ୍ୟାଳୟ ସ୍ଥାପନ ହୋଇନାହିଁ । ଢେଙ୍କାନାଳ ସୟଂ ଶାସିତ କଲେଜରେ ଅନେକ ବିଭାଗରେ ସ୍ନାତକୋତର ପାଠ୍ୟକ୍ରମ ନାହିଁ, ମାତ୍ର ୩୩% ଅଧ୍ୟାପକଙ୍କୁ ନେଇ ପାଠପଢ଼ା ଚାଲିଛି । (୨) ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ମେଡ଼ିକାଲ କଲେଜ ପ୍ରତିଷ୍ଠା ପ୍ରତିଶ୍ରୁତିରେ ରହିଯାଇଛି । (୩) ମୁଖ୍ୟ ଡାକ୍ତରଖାନାରେ ଅନେକ ବିଭାଗ ଯଥା ହୃଦରୋଗ, ସ୍ନାୟୁରୋଗ, ଜରୁରୀ ଚିକିତ୍ସା ନିମନ୍ତେ ସ୍ପେଶିଆଲିଷ୍ଟ ନଥିବା, ଆଇସିୟୁ ନଥୁବା ଯୋଗୁଁ ରୋଗୀ ରେଫରାଲ ନେଇ ବଡ଼ମେଡ଼ିକାଲ ଯିବା ଯୋଗୁଁ ଚିକିତ୍ସାରେ ବିଳମ୍ବ ହୋଇ ମୃତ୍ୟୁ ବରଣ କରୁଛନ୍ତି । (୪) ସମଗ୍ର ଜିଲ୍ଲାବାସୀ ଉପଯୁକ୍ତ ପାନୀୟ ଜଳ ନପାଇ ହନ୍ତସନ୍ତ ହେଉଛନ୍ତି । କ୍ରୋମାଇଟ୍ ଖଣି ଥୁବା ଅଂଚଳରେ ଗଭୀର ନଳକୂପ ଜଳ ଅନେକ ବର୍ଷ ଧରି ପାନ କରିବା ପରେ କିଡନୀ ରୋଗ ଓ କ୍ୟାନ୍ତିର ମହାମାରୀ ରୂପ ନେଲାଣି । ଏ ବିଷୟରେ ସଂଗଠନ ତରଫରୁ ନିକଟରେ ସରକାରଙ୍କୁ ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି କରାଯାଇଛି । (୫) ସହରାଂଚଳ ବିକାଶ ନିମନ୍ତେ କୌଣସି ବ୍ଲୁ ଫ୍ରିଟ୍ ନାହିଁ । ଢେଙ୍କାନାଳ ସହରର ଗୋଟିଏ ମାତ୍ର ମୁଖ୍ୟରାସ୍ତା ଯାହା ମାତ୍ର ୩ କିମି ଦୀର୍ଘ ତାହା ୨ ଲେନ୍ ରୁ ୪ ଲେନ୍ ନହେବା ଯୋଗୁଁ କ୍ରମ ବଦ୍ଧିଷ୍ଣୁ ଜନସଂଖ୍ୟା ଓ ଗାଡି ସଂଖ୍ୟା ଯାତାୟତରେ ଘୋର ଅସୁବିଧା ସୃଷ୍ଟି କରୁଛି । ମୁଖ୍ୟ ଡାକ୍ତରଖାନାକୁ ସଂଯୋଗ ରାସ୍ତା ଆହୁରି ସଂକୀର୍ଣ ହୋଇ ରହିଛି । ଗୋଟିଏ ମ୍ୟୁନିସିପାଲଟି ଓ ୪ ଟି ଏନ୍ଏସିର ଜଳ ଯୋଗାଣ ସମସ୍ୟା, ଡ୍ରେନେଜ୍ ସମସ୍ୟା, ସିୱେଜ୍ ଟ୍ରିଟମାଂଟ୍ ପ୍ଲାଟ୍, ଜନ ସାଧାରଣଙ୍କ ନିମନ୍ତେ ପାର୍କ, ଛୋଟ ପିଲାଙ୍କ ପାଇଁ ଖେଳ ପଡିଆ, ଗାଡି ପାର୍କି ନିମନ୍ତେ ସୁବ୍ୟବସ୍ଥା, ଟାଉନ୍ ବସ୍ ସେବା ଯୋଗାଇ ଦେବା ନିମନ୍ତେ ସଂଗଠନ ଦାବି କରିଛି । (୬) ସାଧୀନତାର ୭୮ ବର୍ଷ ପରେ ବି ଜିଲ୍ଲାର ଅନେକ ଅଂଚଳ ରେଳସେବା ରୁ ବଂଚିତ ହୋଇଛନ୍ତି ଯଥା ହିନ୍ଦୋଳ, ଗନ୍ଦିଆ, ମନ୍ଦାର । କାମାକ୍ଷାନଗର ରୁଟ୍ ରେ ଏବେବି ପାସେଞ୍ଜର୍ ଟ୍ରେନ ଦିଆଯାଇନାହିଁ । (୭) ପାନୀୟ ଜଳ ଯୋଗୁଁ କିଡନୀ ରୋଗ ଓ କ୍ୟାନ୍ସର ବ୍ୟାପୁଥୁବା ଜିଲ୍ଲାବାସୀଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି ଏବଂ ଜିଲ୍ଲାରେ ଏକ ଆଧୁନିକ ପାନୀୟ ଜଳ ପରୀକ୍ଷାଗାର ସ୍ଥାପନର ଆବଶ୍ୟକତା ଜରୁରୀ ହୋଇ ପଡ଼ିଛି । (୮) ଦୀର୍ଘ ୫୦ ବର୍ଷ ଧରି ଚାଲିଥିବା ରେଙ୍ଗାଳି ନଦୀବନ୍ଧ ଯୋଜନାରୁ ଜିଲ୍ଲାର କୃଷକ ଶୀତ ଏବଂ ଗ୍ରୀଷ୍ମ ଋତୁରେ ଜଳସେଚନ ସୁବିଧା ନପାଇବାରୁ ଜିଲ୍ଲାବାସୀ ପନିପରିବା ନିମନ୍ତେ ଆଠଗଡ଼, ବରଗଡ଼ ଜିଲ୍ଲା ଉପରେ ନିର୍ଭର କରନ୍ତି ।
(୯) ଏମ୍.ଏସ୍.ଏମ.ଇ. ର ଅଭିବୃଦ୍ଧି ନିମନ୍ତେ ଜିଲ୍ଲାରେ ପର୍ଯ୍ୟାପ୍ତ ସୁବିଧା ଥିଲେ ହେଁ ସରକାରୀ ସୁବିଧା ଓ ପ୍ରୋତ୍ସାହନ ଅଭାବରୁ ତାହା ଆଗେଇ ପାରୁନାହିଁ । (୧୦) ଜିଲ୍ଲାରେ ଆଦିବାସୀ ଓ ଦଳିତ ଶ୍ରେଣୀର ଲୋକଙ୍କ ସଂଖ୍ୟା ଅନେକ ମାତ୍ର ସେମାନଙ୍କର ଉନ୍ନତି ଦୃଷ୍ଟି ଗୋଚର ହେଉନାହିଁ । ସଦସ୍ୟଗଣ ଆଶଙ୍କା କରିଛନ୍ତି ଯେ କେନ୍ଦ୍ର ସରକାରଙ୍କର ଯେଉଁ ସପ୍ନ ରହିଛି ଯେ ଆଉ ୨୧ ବର୍ଷ ପରେ ଅର୍ଥାତ୍ ୨୦୪୭ବେଳକୁ ଭାରତ ଏକ ବିକଶିତ ରାଷ୍ଟ୍ର ହୋଇସାରିଥିବ, ସେତେବେଳେ ଯେପରି ଢେଙ୍କାନାଳବାସୀ ଏହା ଦୂରରେ ଥାଇ ଅବଲୋକନ କରୁ ନଥିବେ । ଏତେ ସବୁ ସମସ୍ୟା ବହୁଳ ଜିଲ୍ଲାର ଉନ୍ନତି ସତନ୍ତ୍ର ପ୍ୟାକେଜ ବିନା ସମ୍ଭବ ନୁହେଁ ବୋଲି ସଂଗଠନ ଦର୍ଶାଇଛି ।



