ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡିଏଚ୍ଏଚ୍ ଢେଙ୍କାନାଳ ଦ୍ୱାରା ଟାଟା ଷ୍ଟିଲ୍ ମେରାମଣ୍ଡଳୀ ସମ୍ମାନିତ
- ୫ ବର୍ଷ ମଧ୍ୟରେ କମ୍ପାନୀର ରକ୍ତଦାନ ଶିବିରରୁ ୨୫୦୦ ୟୁନିଟ୍ ରକ୍ତ ସଂଗ୍ରହ
ଢେଙ୍କାନାଳ, ଜୁନ୍ ୧୭, ୨୦୨୬: ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀକୁ ଢେଙ୍କାନାଳ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ (ଡିଏଚ୍ଏଚ୍) ରକ୍ତଭଣ୍ଡାର ପକ୍ଷରୁ ସମ୍ମାନିତ କରାଯାଇଛି । ବୁଧବାର ଢେଙ୍କାନାଳ ମହିଷାପାଟସ୍ଥିତ (ଡିଆର୍ଡିଏ) ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ, ଲଲିତ ମୋହନ ବେହେରା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ), ଢେଙ୍କାନାଳ, ସଞ୍ଜୟ କୁମାର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ), ଢେଙ୍କାନାଳ, ସପନ କୁମାର ମହାନ୍ତି (ଏଡିଏମ୍ଓ), ଢେଙ୍କାନାଳ ଓ ପ୍ରଦୀପ୍ତ କୁମାର ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଢେଙ୍କାନାଳ, ସ୍ଵରୂପ କୁମାର ସାହୁ, ବ୍ଲଡ୍ ବ୍ୟାଙ୍କ ଅଫିସର, ଢେଙ୍କାନାଳ, ପ୍ରମୁଖଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ୍ ମେନ୍ ହସ୍ପିଟାଲ, ମେରାମଣ୍ଡଳୀ ପକ୍ଷରୁ ସିନିୟର ମେଡିକାଲ ଅଫିସର ଡାକ୍ତର ଅବିନାଶ ଦାଶ ଏହି ସମ୍ମାନ ଗ୍ରହଣ କରିଥିଲେ ।
ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଡିଏଚ୍ଏଚ୍ ରକ୍ତଭଣ୍ଡାରକୁ ନିୟମିତ ଭାବେ ସର୍ବାଧିକ ରକ୍ତ ଯୋଗାଇବାରେ ଟାଟା ଷ୍ଟିଲ ମେରାମଣ୍ଡଳୀ ଯୋଗଦାନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବିଗତ ୫ ବର୍ଷ ମଧ୍ୟରେ କମ୍ପାନୀର କର୍ମଚାରୀମାନଙ୍କ ମଧ୍ୟରେ ବିଭିନ୍ନ ରକ୍ତଦାନ ଶିବିର ଆୟୋଜନ କରାଯାଇ ସଫଳତାର ସହ ପାଖାପାଖି ୨,୫୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଜିଲ୍ଲା ରକ୍ତଭଣ୍ଡାରକୁ ପ୍ରଦାନ କରାଯାଇଛି । ସେହିପରି ଚଳିତ ବର୍ଷ ମଧ୍ୟ ଏହି ଅଭିଯାନ ମାଧ୍ୟମରେ ୩୬୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । କମ୍ପାନୀ ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ଷ୍ଟିଲ୍ ନିରନ୍ତର ପ୍ରୟାସ କରିଆସୁଛି ।



