ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗ ମାଳମାଳ ଫଳ ଶୂନ !
ସାଧାରଣ ଲୋକଙ୍କ ଅଭିଯୋଗକୁ ସମସ୍ତ ସରକାରୀ କାର୍ଯ୍ୟାଳୟର କୌଣସି ବିଭାଗ ଶୁଣୁ ନଥିବା ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ
ତାଳଚେର, ୨୨/୦୬ ତାଳଚେର ଏକ ଶିଳ୍ପ ବହୁଳ ଅଂଚଳ ହୋଇଥିବାରୁ ଏଠାରେ ସାଧାରଣ ଲୋକଙ୍କ ସମସ୍ୟା ଲାଗି ରହିଛି । ଏଥିପାଇଁ ବିଭିନ୍ନ ସମୟରେ ସ୍ଥାନୀୟ ପ୍ରଶାସନ ବା ଜିଲ୍ଲା ପ୍ରଶାସନଙ୍କୁ ଅଧିବାସୀମାନେ ବିଭିନ୍ନ ଦାବୀ ଓ ସମସ୍ୟା ନେଇ ଲିଖିତ ଅଭିଯୋଗ କରି ଆସୁଛନ୍ତି । କିନ୍ତୁ ସାଧାରଣ ଲୋକଙ୍କ ଅଭିଯୋଗକୁ ଜିଲ୍ଲା ପ୍ରଶାସନକୁ ଜଣାଇଲେ ମଧ୍ୟ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ସମସ୍ତ ସରକାରୀ କାର୍ଯ୍ୟାଳୟର କୌଣସି ବିଭାଗ ଶୁଣୁ ନଥିବା ଅଭିଯୋଗ କରିଛନ୍ତି ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ରାଜ କିଶୋର ସାହୁ । ଶ୍ରୀ ସାହୁଙ୍କ ଦ୍ୱାରା ଦୀର୍ଘ ୨ ବର୍ଷ ହେବ ବିଭିନ୍ନ ସମୟରେ ଦାବୀ ବା ଅଭିଯୋଗ ଜଣାଇଲା ପରେ ମଧ୍ୟ ସରକାରୀ କାର୍ଯ୍ୟାଳୟର କୌଣସି ବିଭାଗ ପଦକ୍ଷେପ ନେଇ ନାହାନ୍ତି । ଏନେଇ ଆଜି ତାଳଚେର ଠାରେ ଆୟୋଜିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ପୁର୍ନବାର ୫ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଛି । ସେଗୁଡିକ ହେଲା-ତାଳଚେର ଶିଳ୍ପାଚଂଳରେ ଶ୍ରମିକ ମାନଙ୍କର ପୋଲିସ୍ ଭେରିଫିକେସନ୍ ପ୍ରମାଣପତ୍ର ଯାଂଚ ପାଇଁ ବାରମ୍ବାର ଦାବୀ ହୋଇଥିଲେ ମଧ୍ୟ ପୋଲିସ୍ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ପବିତ୍ର ମୋହନ ମେଡିକାଲ୍ ଠାରୁ ବଲଣ୍ଡା ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରୁ କୋଇଲା ଗୁଣ୍ଡ ଉଠାଇ ଝାଡୁ ମାରିବା ସହ ପାଣି ସିଂଚନ କରିବା । ଏହାକୁ ଜିଲ୍ଲା ପ୍ରଶାସନ ତରଫରୁ ଏମ୍.ସି.ଏଲ୍. ଜଗନ୍ନାଥ ଏରିଆକୁ ଚିଠି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇ ନାହିଁ । ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ଜଣାଇବା ସତ୍ୱେ ଏହାକୁ ଗୁରୁତ୍ୱ ଦିଆଯାଇ ନାହିଁ । ଏମ୍.ସି.ଏଲ୍, ପକ୍ଷରୁ ଅପ୍ରେଲ୍ ୧ ରୁ ପାଣି ଦେବା ପାଇଁ ଚିଠି ହୋଇଥିଲା କିନ୍ତୁ ଜୁନ୍ ୧୨ ରୁ କାର୍ଯ୍ୟାଦେଶ ଦିଆଗଲା । ଘଂଟପଡା ପଂଚାୟତର ପବିତ୍ର ମୋହନ ମେଡିକାଲ୍ ଯିବା ରାସ୍ତାରେ (ଅନନ୍ତ ମାର୍କେଟ୍) ଓଭରବ୍ରିଜ୍ ନିର୍ମାଣ ପାଇଁ ଜିଲ୍ଳା ପ୍ରଶାସନକୁ ଚିଠି ଦିଆଯାଇଥିଲେ ମଧ୍ୟ ଆପଣଙ୍କ ଆଦେଶ ଅନୁସାରେ ବର୍ତମାନ ପର୍ଯ୍ୟନ୍ତ ଟି.ଏଫ୍.ଏଲ୍. ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତାଳଚେରରୁ ହିଙ୍ଗୁଳା ପର୍ଯ୍ୟନ୍ତ ରାସ୍ତାରେ ଥିବା କଂସେଇ ଖାନା (ମାଂସ ଦୋକାନ) ଗୁଡିକ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଗତ ୨୦୨୫ ରୁ ଜଣାଇବା ପରେ ତହସିଲ୍ଦାର ଏହାକୁ ଗୁରୁତ୍ୱ ଦେଇ ନାହାନ୍ତି । ଏହାକୁ ଗୁରୁତର ସହ ବିଚାର କରି ସମାଧାନ କରିବାକୁ ଶ୍ରୀ ସାହୁ ଅନୁରୋଧ କରିଛନ୍ତି ।

June 22, 2026/
No Comments


