ସାମ୍ବାଦିକଙ୍କ ପେନସନ୍ ବ୍ୟବସ୍ଥା କେବେ?
ତାଳଚେର, ୨୫/୦୬ ଦୀର୍ଘବର୍ଷ ହେବ ଗଣମାଧ୍ୟମ ପ୍ରତିନିଧି ମାନେ ବିଭିନ୍ନ ଫର୍ମରେ ପେନସନ ପାଇଁ ଦାବି କରୁଥିଲେ ମଧ୍ୟ ସରକାର ଏହାକୁ ଟାଳଟୁଳି ନୀତି ଅବଲମ୍ବନ କରି ଖାଲି ତାରିଖ ଉପରେ ତାରିଖ ଦେଇ ସମୟ ଅତିବାହିତ କରୁଥିବା ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ବିଜେଡ଼ି ସରକାର ଦୀର୍ଘବର୍ଷ ଶାସନ କରିବା ମଧ୍ୟରେ ସାମ୍ବାଦିକଙ୍କୁ ପେନସନ ପ୍ରଦାନ କରିବା ନେଇ ବାରମ୍ବାର ପ୍ରତିଶ୍ରୁତି ଦେଇ ଶାସନରୁ ଯିବାପରେ ନୂତନଭାବେ ଆଜକୁ ଦୁଇବର୍ଷ ହେବ ବିଜେପି ସରକାର ସେହିଭଳି ପ୍ରତିଶ୍ରୁତି ପ୍ରଦାନ କରି ଆସୁଛି । ବିଜେପି ସରକାର ବିରୋଧି ଦଳରେ ଥିବା ବେଳେ ଆଜିର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମ୍ବାଦିକ ପେନସନ ପାଇଁ ବିଜେଡ଼ି ସମ୍ମୁଖରେ ଦାବି ରଖିଥିଲେ । ମାତ୍ର ମୋହନ ମାଝୀ ସରକାର ଆଜକୁ ଦୁଇବର୍ଷ ପୂର୍ତି ଉପରେ ନିଜର ସଫଳତା ଗାଇ ଚାଲୁଥିବା ବେଳେ ବିଚରା ସାମ୍ବାଦିକ ପାଇଁ ଚିନ୍ତା କରିବା ତାଙ୍କ ପାଖରେ ସମୟ ନାହିଁ । ଭାରତରେ ପ୍ରାୟ ରାଜ୍ୟରେ ସାମ୍ବାଦିକଙ୍କ ବୀମା ଓ ପେନସନ୍ ଲାଗୁ ହୋଇଥିଲେ ମଧ୍ୟ ଅଦ୍ୟାବଧି ଓଡ଼ିଶାରେ ହୋଇନଥିବା ସାମ୍ବାଦିକ ପାଇଁ ଦୁର୍ଭାଗ୍ୟଜନକ ନୁହଁତ ଆଉ କ’ଣ ହୋଇପାରେ । ପଶ୍ଚିମବଙ୍ଗ ସରକାର ସୁଭେନ୍ଧୁ ଅଧିକାରୀ ମାତ୍ର ୨ମାସ ହେବ ଶାସନ ଭାର ହାତକୁ ନେଇଥିବା ବେଳେ ସାମ୍ବଦିକ ପାଇଁ ପେନସନ୍ ଘୋଷଣା କରିଥିବା ବେଳେ ଓଡ଼ିଶା ସରକାରକୁ ୨ବର୍ଷ ବିତିଯାଇଥିଲେ ମଧ୍ୟ ସାମ୍ବାଦିକଙ୍କ ପେନସନ ଓ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉନଥିବା ସାମ୍ବାଦିକଙ୍କ ମହଲରେ ନରାଶ୍ୟ ଭାବ ସୃଷ୍ଟି କରୁଛି । ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଜୀବନକୁ ବିପନ୍ନ କରି ଖରା, ବର୍ଷା, ଶୀତରେ ନିଜ ପରିବାରକୁ ପଛରେ ପକାଇ ଗଣତନ୍ତ୍ରକୁ ମଜବୁତ୍ କରୁଥିବା ବେଳେ ଆଜି ସାମ୍ବାଦିକ ଅବସ୍ଥା ଦୁର୍ବିସହ ହୋଇପଡ଼ିଛି । ତେଣୁ ସରକାର ଆଉ କାଳ ବିଳମ୍ବ ନକରି ସାମ୍ବାଦିକ ପାଇଁ ଦୃଷ୍ଟି ଦେବାକୁ ଗଣମାଧ୍ୟମ ପ୍ରତିନଧିଙ୍କ ମହଲରେ ଦାବି ହେଉଛି ।

June 25, 2026/
No Comments


