
ଅନୁଗୋଳ: ନିଶାସକ୍ତ ପୁଅର ଅମାନବୀୟ କାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ନିଶା ପାଇଁ ଟଙ୍କା ନ ମିଳିବାରୁ ଜଣେ ପୁଅ ନିଜ ବୃଦ୍ଧା ମା’ଙ୍କୁ ନିର୍ମମ ଭାବେ ଆକ୍ରମଣ କରିବା ସହ ତାଙ୍କ ହାତର ଆଙ୍ଗୁଠିକୁ କାମୁଡ଼ି ଗୁରୁତର ଆହତ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କନ୍ଦରସିଂହା ଗ୍ରାମର ପାଞ୍ଚାଳି ନାଥ ଦୀର୍ଘ ଦିନ ଧରି ପୁଅ ପ୍ରତାପ ନାଥଙ୍କ ନିଶାସକ୍ତ ଅବସ୍ଥାରେ ନିର୍ଯାତନାର ଶିକାର ହୋଇଆସୁଥିଲେ। ପୁଅର ଅତ୍ୟାଚାର ଅସହ୍ୟ ହେବାରୁ ସେ ଘର ଛାଡ଼ି ଅନୁଗୋଳର ଏକ ଆଶ୍ରମରେ ଆଶ୍ରୟ ନେଇଥିଲେ।ମଙ୍ଗଳବାର ପ୍ରତାପ ଆଶ୍ରମରେ ପହଞ୍ଚି ନିଶା ପାଇଁ ମା’ଙ୍କୁ ଟଙ୍କା ମାଗିଥିଲା। ତେବେ ପାଞ୍ଚାଳି ଟଙ୍କା ଦେବାକୁ ମନା କରିଦେବାରୁ ସେ ଉତ୍ତେଜିତ ହୋଇ ପ୍ରଥମେ ମା’ଙ୍କୁ ମାଡ଼ ମାରିଥିଲା। ଏଥିରେ ମନ ନ ବୁଝିବାରୁ ପରେ ସେ ମା’ଙ୍କ ହାତର ଏକ ଆଙ୍ଗୁଠିକୁ ଜୋରରେ କାମୁଡ଼ି ଗୁରୁତର ଭାବେ ଆହତ କରିଥିବା ଅଭିଯୋଗ ହୋଇଛି।ଘଟଣା ପରେ ଆଶ୍ରମ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ତୁରନ୍ତ ପହଞ୍ଚି ଅଭିଯୁକ୍ତ ପ୍ରତାପ ନାଥଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।



