“ସରକାରୀ ରାସ୍ତା ବନ୍ଦ ଅଭିଯୋଗ; ସଙ୍କଟରେ ଛେଳି ଫାର୍ମ, ପ୍ରଭାବିତ ଚାଷକାମ”

ବଅଁରପାଳ:
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବନ୍ଦା ପଞ୍ଚାୟତରେ ସରକାରୀ ରାସ୍ତାକୁ ଖୋଳି ବନ୍ଦ କରିଦେବା ନେଇ ଅଭିଯୋଗ ଉଠିଛି। ବନ୍ଦା ଗ୍ରାମର ଚନ୍ଦ୍ରଶେଖର ସାହୁ ଅଭିଯୋଗ କରିଛନ୍ତି ଯେ, କିଛି କୁଚକ୍ରୀ ଗୋଷ୍ଠୀ ସରକାରୀ ରାସ୍ତାକୁ ନଷ୍ଟ କରିଦେବା ଫଳରେ ତାଙ୍କ ଛେଳି ଫାର୍ମ ଓ ଚାଷକାମ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ଅଭିଯୋଗ ଅନୁସାରେ, ମୌଜା ବନ୍ଦାର ଖାତା ନମ୍ବର–୯, ପ୍ଲଟ ନମ୍ବର–୧୯୪, ୧୯୭ ଓ ୧୯୮ରେ ଥିବା ମୋଟ ୪୬ ଡିସିମିଲ ଜମିରେ ସେ ରାଷ୍ଟ୍ରୀୟକୃତ ବ୍ୟାଙ୍କରୁ ଋଣ ନେଇ ଏକ ଛେଳି ଫାର୍ମ ସ୍ଥାପନ କରିଥିଲେ। ଜମିକୁ ସଂଯୋଗ କରୁଥିବା ଖାତା ନମ୍ବର–୫୨୮, ପ୍ଲଟ ନମ୍ବର–୧୮୬ର ସରକାରୀ ରାସ୍ତାକୁ ଆଧାର କରି ବ୍ୟାଙ୍କ ପକ୍ଷରୁ ଋଣ ମଞ୍ଜୁର ହୋଇଥିଲା।ତେବେ ରାସ୍ତାକୁ ଲାଗିଥିବା ଏକ ବନ୍ଧକୁ ଖୋଲିବା ସହ ସରକାରୀ ରାସ୍ତାକୁ ମଧ୍ୟ ଖୋଳି ଦିଆଯାଇଥିବାରୁ ବର୍ତ୍ତମାନ ସେ ଓ ଆଖପାଖର ଚାଷୀମାନେ ଯାତାୟାତ କରିପାରୁ ନାହାନ୍ତି। ଫଳରେ ଫାର୍ମରେ ଥିବା ଛେଳିଗୁଡ଼ିକୁ ଦୁଇଟି ଅଲଗା ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡ଼ିଥିବାବେଳେ ଚାଷଜମିରେ ମଧ୍ୟ କାମ କରିବା ସମ୍ଭବ ହେଉନାହିଁ।ଏନେଇ ସେ ସମ୍ପୃକ୍ତ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିବା ସେ କହିଛନ୍ତି। ଏପରି ପରିସ୍ଥିତିରେ ବ୍ୟାଙ୍କ ଋଣ ପରିଶୋଧ କରିବା ନେଇ ଚନ୍ଦ୍ରଶେଖର ସାହୁ ଓ ତାଙ୍କ ପରିବାର ଚିନ୍ତା ପ୍ରକାଶ କରିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେ ପ୍ରଶାସନର ହସ୍ତକ୍ଷେପ ଦାବି କରିଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


