ବଅଁରପାଳ ଥାନାରେ ଏସଡିପିଓଙ୍କ ସମୀକ୍ଷା ବୈଠକ, ଜନସେବାକୁ ଗୁରୁତ୍ୱ
ଅନୁଗୋଳ: ଅନୁଗୋଳ ଏସଡିପିଓ ବଅଁରପାଳ ଥାନା ପରିଦର୍ଶନ କରି ପୋଲିସ କର୍ମଚାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ପୋଲିସର ବୃତ୍ତିଗତ ଦକ୍ଷତା ବୃଦ୍ଧି, ସାଧାରଣ ଲୋକଙ୍କ ସହ ସୌଜନ୍ୟପୂର୍ଣ୍ଣ ବ୍ୟବହାର, ଅଭିଯୋଗର ତ୍ୱରିତ ସମାଧାନ ଏବଂ ଗୁଣାତ୍ମକ ଜନସେବା ସୁନିଶ୍ଚିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଏହାସହ ପୋଲିସ କର୍ମଚାରୀମାନଙ୍କୁ କର୍ତ୍ତବ୍ୟ ପାଳନ ବେଳେ ଶୃଙ୍ଖଳା, ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ପୋଲିସ ଆଚରଣର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ସହ ଜନସାଧାରଣଙ୍କ ବିଶ୍ୱାସ ଅର୍ଜନ କରିବା ଦିଗରେ କାର୍ଯ୍ୟ କରିବାକୁ ଏସଡିପିଓ ପରାମର୍ଶ ଦେଇଥିଲେ। ବୈଠକରେ ଥାନାର ଆଇନ-ଶୃଙ୍ଖଳା ପରିସ୍ଥିତି ଓ ପୋଲିସିଂକୁ ଅଧିକ ଜନମୁଖୀ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।



