ପାଳଲହଡାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭୂମି ପୂଜନ ଅନୁଷ୍ଠିତ

ଅନୁଗୋଳ,୧୦.୦୭: ପାଳଲହଡ଼ା ଉପଖଣ୍ଡରେ ଓଡ଼ିଶାର ୭୭ତମ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଅଟ୍ଟାଳିକାର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୂର୍ବାହ୍ନରେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ଏହା ସହ ପାଳଲହଡ଼ାରେ ଅବସ୍ଥିତ ମାଲ୍ୟଗିରି ମହାବିଦ୍ୟାଳୟ ପରିସରରେ ଅସ୍ଥାୟୀ କ୍ୟାମ୍ପସ ଉନ୍ମୋଚନ କରିଥିଲେ ଏବଂ ନୂତନ ଅଟ୍ଟାଳିକା ପାଇଁ ଭୂମି ପୂଜନ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଅଟ୍ଟାଳିକା ନିର୍ମାଣ ପାଇଁ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି। ଏହା ଦ୍ୱାରା ପାଲଲହଡ଼ା ଅଞ୍ଚଳର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇବାର ସୁଯୋଗ ପାଇବେ।

ଏହା ସହ ପାଲଲହଡ଼ାରେ ପ୍ରାୟ ୩.୬୫ କୋଟିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭୂମି ପୂଜନ କରାଯାଇଥିଲା। ସମାଜର ଶେଷ ଧାଡ଼ିରେ ଥିବା ବିଦ୍ୟାର୍ଥୀମାନଙ୍କୁ ରୋଜଗାରଭିତ୍ତିକ, ଦକ୍ଷତା ଆଧାରିତ ଏବଂ ବ୍ୟବସାୟ ଭିତ୍ତିକ ପାଠପଢା ପ୍ରଦାନ କରିବାକୁ ସମସ୍ତେ ମିଳିତ ପ୍ରୟାସ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି, ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ମାନ୍ୟବର ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଜଏଣ୍ଟ କମିଶନର ପି.ବି.ଏସ୍ ଉଷା, ଡେପୁଟି କମିଶନର ଶ୍ରୀ ସର୍ଦ୍ଦାର ସିଂହ ଚୌହାନ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ପାଲଲହଡ଼ା ଉପଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପଟେଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନିଶାନ ମିଶ୍ର ଏବଂ ତହସିଲଦାର ଆକାଂକ୍ଷା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।



