କାର୍ଡିଫ୍ : ଜୋ ରୁଟ୍ଙ୍କ ଅପରାଜିତ ୯୯ ରନ୍ ବଳରେ ଗୁରୁବାର ଦ୍ବିତୀୟ ଦିନିକିଆ ମ୍ୟାଚ୍ରେ ଘରୋଇ ଇଂଲଣ୍ଡ ବିଜୟୀ ହୋଇଛି। ଭାରତକୁ ୪ ୱିକେଟ୍ରେ ପରାସ୍ତକରି ୩ ମ୍ୟାଚ୍ର ଶୃଙ୍ଖଳାକୁ ଇଂଲଣ୍ଡ ୧-୧ କରିପାରିଛି। ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳେର ଏକଦା ଭଲ ସ୍ଥିତିରେ ଥିବା ଭାରତ ବିପର୍ଯ୍ୟୟ ଭୋଗି ୪୪ ଓଭରରେ ୨୩୩ ରନ୍କରି ଅଲ୍ଆଉଟ୍ ହୋଇ ଯାଇଥିଲା।
ପରେ ରୁଟ୍ ଇନିଂସର ୨ୟ ବଲ୍େର କ୍ରିଜ୍କୁ ଆସି ଶେଷ ପର୍ଯ୍ୟନ୍ତ ରହିବାରୁ ୩୫ ବଲ୍ ବାକିଥାଇ ୬ ୱିକେଟ୍ ହରାଇ ଇଂଲଣ୍ଡ ଜିତି ନେଇଥିଲା। ରବିବାର ନିର୍ଣ୍ଣାୟକ ୩ୟ ଦିନିକିଆ ଖେଳାଯିବ।
୨୩୪ ରନ୍ର ବିଜୟଲକ୍ଷ୍ୟ ଇଂଲଣ୍ଡ ପାଇଁ ସହଜ ମନେ ହେଉଥିେଲ ହେଁ ଏହା ପ୍ରାରମ୍ଭିକ ବିପର୍ଯ୍ୟୟ ଭୋଗିଥିଲା। ଇନିଂସ୍ର ପ୍ରଥମ ବଲ୍ରେ ବେନ୍ ଡକେଟ୍ ଏବଂ ୪ର୍ଥ ଓଭରରେ ଜେକବ୍ ବେଥେଲ୍ (୪) ଆଉଟ୍ ହୋଇଥିଲେ। ୮ ରନ୍ରେ ୨ଟି ୱିକେଟ୍ ପଡ଼ିବା ପରେ ଇଂଲଣ୍ଡ ଟେଷ୍ଟମ୍ୟାଚ୍ ପରି ରନ୍ର ପିଛା କରିଥିଲା। ବ୍ୟାଟିଂ ମହାରଥୀ ଜୋ ରୁଟ୍ ଓ ଅଧିନାୟକ ହ୍ୟାରୀ ବ୍ରୁକ୍ ୪୫ ରନ୍ ଯୋଡ଼ିଥିଲେ। ବେପରୁଆ ସଟ୍ ମାରି ଆଉଟ୍ ହେବା ପୂର୍ବରୁ ବ୍ରୁକ୍ ୧୬ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୬ ରନ୍ କରିଥିଲେ। ପରେ ରୁଟ୍ ଓ ସାମ୍ କରନ୍ ୪୧ ରନ୍ ଯୋଡ଼ିଥିଲେ। ସାମ୍ କରନ୍ ୩୧ ବଲ୍ରୁ ୪ଟି ଛକା ସହ ୨୬ ରନ୍କରି ବିଦାୟ ନେଇଥିଲେ। ପରେ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରୁଟ୍ ଓ ଜୋଶ୍ ବଟ୍ଲର ୩୧ ରନ୍ ଯୋଡ଼ିଥିଲେ। ଛକା ମାରିବା ପ୍ରୟାସରେ ବଟ୍ଲର ୱିକେଟ୍ ଫିଙ୍ଗିଥିଲେ। ବଟ୍ଲର ୧୮ ବଲ୍ରୁ ୧୭ ରନ୍ କରିଥିଲେ। ୧୨୫ ରନ୍ରେ ୫ଟି ୱିକେଟ୍ ପଡ଼ିବା ପରେ ରୁଟ୍ ଓ ୱିଲ୍ ଜ୍ୟାକ୍ସ ୭୨ ରନ୍ ଯୋଡ଼ିଥିଲେ। ବଡ଼ ସଟ୍ ମାରିବା ପ୍ରୟାସରେ ୱିକେଟ୍ ହରାଇଥିବା ଜ୍ୟାକ୍ସ ୪୪ ବଲ୍ରୁ ୨ଟି ଚୌକା ସହ ୩୦ ରନ୍କରି ଆଉଟ୍ ହୋଇଥିଲେ। ଗସ୍ ଆଟ୍କିନ୍ସନ ଆସି ଆକ୍ରମଣାତ୍ମକ ବ୍ୟାଟିଂ କରିବାରୁ ରୁଟ୍ ଶତକ ପୂରଣ କରି ପାରିନଥିଲେ। ଜୋ ରୁଟ୍ ୧୩୩ ବଲ୍ରୁ ୯ଟି ଚୌକା ସହ ୯୯ ରନ୍କରି ଅପରାଜିତ ଥିଲେ। ଗସ୍ ଆଟ୍କିନ୍ସନ ୧୬ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୩ ରନ୍କରି ଅପରାଜିତ ଥିଲେ। ଗୁର୍ନୁର ବ୍ରାର ୨ଟି ୱିକେଟ୍ ନେଇଥିଲେ। ଜୋ ରୁଟ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ଇଂଲଣ୍ଡ ଫିଲ୍ଡିଂ କରିଥିଲା। ଫର୍ମରେ ନ ଥିବା ରୋହିତ ଶର୍ମା ଜଗିରଖି ଖେଳିଥିବା ବେଳେ ଅଧିନାୟକ ଶୁଭମନ ଗିଲ୍ ଚିତ୍ତାକର୍ଷକ ବ୍ୟାଟିଂ କରିଥିଲେ। ୪୪ ରନ୍ର ଓପନିଂ ଭାଗୀଦାରି ପରେ ଶୁଭମନ ଗିଲ୍ ୩୧ ବଲ୍ରୁ ୬ଟି ଚୌକା ସହ ୩୦ ରନ୍କରି ଆଉଟ୍ ହୋଇଥିଲେ। ବିରାଟ କୋହଲି କ୍ରିଜ୍କୁ ଆସି ଷ୍ଟ୍ରୋକ୍ ଖେଳିଥିଲେ। ରୋହିତ ଓ କୋହଲି ୬୦ ବଲ୍ରୁ ୬୦ ରନ୍ ଯୋଡ଼ିଥିଲେ। ୧୮ଶ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ଥିବା ରୋହିତ ଶର୍ମା ଅନାକର୍ଷଣୀୟ ଇନିଂସ ଖେଳି ୪୭ ବଲ୍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୬ ରନ୍କରି ଆଉଟ୍ ହୋଇଥିଲେ। ଈଶାନ୍ କିଷନ ୧ ରନ୍ କରିଲେ। ପରେ ବିରାଟ କୋହଲି ଓ ଶ୍ରେୟସ ଆୟର ୬୭ ରନ୍ ଯୋଡ଼ି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। ୫୫ତମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିବା କୋହଲି ୬୬ ବଲରୁ ୮ଟି ଚୌକା ସହ ୬୫ ରନ୍ କରିଥିଲେ। ଭାରତ ୩୧.୩ ଓଭରରେ ୩ ୱିକେଟ୍ ହରାଇ ୧୭୮ ରନ୍ କରିଥିବା ବେଳେ ବିପର୍ଯ୍ୟୟ ଭୋଗି ପରବର୍ତ୍ତୀ ୬୯ ବଲ୍ରୁ ମାତ୍ର ୫୫ ରନ୍ ଯୋଡ଼ି ୭ଟି ୱିକେଟ୍ ହରାଇ ଅଲ୍ଆଉଟ୍ ହୋଇଥିଲା। ଏଥିରୁ ଯଶପ୍ରୀତ ବୁମ୍ରା ୧୩ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୦ ରନ୍କରି ଅପରାଜିତ ଥିଲେ। ୯ମ ବ୍ୟାଟ୍ସମ୍ୟାନ ଭାବେ ଆଉଟ୍ ହୋଇଥିବା ଶ୍ରେୟସ ଆୟର ୭୧ ବଲ୍ରୁ ୨ଟି ଛକା ଓ ୫ଟି ଚୌକା ସହ ୬୬ ରନ୍ କରିଥିଲେ। ଜୋଫ୍ରା ଆର୍ଚର ଓ ଗସ୍ ଆଟ୍କିନ୍ସନ ୩ଟି ଲେଖାଏଁ ଏବଂ ସାକିବ୍ ମେହ୍ମୁଦ୍ ୨ଟି ୱିକେଟ୍ ନେଇଥିଲେ।



