ତାଳଚେର ରେଳ ଷ୍ଟେସନର ନବକଳେବର: ଅମୃତ ଭାରତ ଯୋଜନାରେ ଆଧୁନିକୀକରଣ ପରେ ଶୁଭ ଉଦ୍ଘାଟନ
ତାଳଚେର: ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃବିକଶିତ ଓ ଆଧୁନିକୀକୃତ ତାଳଚେର ରେଳ ଷ୍ଟେସନର ଶୁଭ ଉଦ୍ଘାଟନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ତାଳଚେରରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ପାଲଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ଓ କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘନ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ବିଜେପି ଜିଲ୍ଲା ସଭାପତି ଶ୍ରୀ ଯଯାତି ପଟ୍ଟନାୟକ, ତାଳଚେର ସଂଯୋଜକ ଶ୍ରୀ ରତ୍ନାକର ସାହୁ, ରେଳବାଇର ବରିଷ୍ଠ ଅଧିକାରୀ, ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଯୋଗଦେଇଥିଲେ।
ବିଜେପି ନେତା ତଥା ସମାଜସେବୀ ଶ୍ରୀ ବିଭୂତି ସାହୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ଐତିହାସିକ ଉଦ୍ଘାଟନ ଉତ୍ସବରେ ସାମିଲ ହୋଇଥିଲେ। ତାଳଚେର ଭଳି ଏକ ଶିଳ୍ପାଞ୍ଚଳ ଓ ଗୁରୁତ୍ୱପୂର୍ଣ୍ଣ ରେଳ ଯୋଗାଯୋଗ କେନ୍ଦ୍ରରେ ଷ୍ଟେସନର ଆଧୁନିକୀକରଣ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ସୁବିଧା ଆଣିବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।
ନବକଳେବର ପରେ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଉନ୍ନତ ଭିତ୍ତିଭୂମି, ଆଧୁନିକ ଯାତ୍ରୀ ସୁବିଧା, ଉନ୍ନତ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା, ପ୍ରତୀକ୍ଷାଳୟ ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଉପଲବ୍ଧ ହେବ। ଏହା ଫଳରେ ତାଳଚେର ଓ ଆଖପାଖ ଅଞ୍ଚଳର ଯାତ୍ରୀମାନେ ଅଧିକ ସୁବିଧାଜନକ ଓ ଆଧୁନିକ ରେଳ ସେବା ପାଇପାରିବେ।
ତାଳଚେର ରେଳ ଷ୍ଟେସନର ଏହି ନୂଆ ରୂପ ଅଞ୍ଚଳର ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ତାଳଚେରର ବିକାଶ ଯାତ୍ରାରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ।



