ନୂଆଦିଲ୍ଲୀ, ୧୮/୦୭: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟାଦଶ ସଂସଦର ଅଷ୍ଟମ ଅଧିବେଶନ। ଏହି ଅଧିବେଶନକୁ ନେଇ କେନ୍ଦ୍ର ସରକାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସୂଚନା ଅନୁସାରେ, ଅଧିବେଶନ କାଳରେ ସରକାର ପ୍ରାୟ ୫ଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ସଂସଦରେ ଉପସ୍ଥାପନ କରିପାରେ।
ଏହି ବିଧେୟକଗୁଡ଼ିକ ଉପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିସ୍ତୃତ ଆଲୋଚନା ହେବା ସହ ସରକାର ସେଗୁଡ଼ିକୁ ପାରିତ କରାଇବା ଦିଗରେ ପଦକ୍ଷେପ ନେବାର ସମ୍ଭାବନା ରହିଛି। ଅଧିବେଶନରେ ଅଧ୍ୟାଦେଶ ମାଧ୍ୟମରେ ଆସିଥିବା ଆୟକର ସଂଶୋଧନ ବିଲ୍, ୨୦୨୬କୁ ମଧ୍ୟ ବିଧେୟକ ଭାବେ ଆଗତ କରାଯିବ ବୋଲି ଜଣାପଡ଼ିଛି।
ଆଗାମୀ ଅଧିବେଶନରେ ସରକାରଙ୍କ ବିଧେୟକ ଆଗତ ଓ ପାରିତ କରାଇବା ରଣନୀତି ସହିତ ବିଭିନ୍ନ ଜାତୀୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି। ଫଳରେ ଆଗାମୀ ସଂସଦ ଅଧିବେଶନ ରାଜନୈତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱ ବହନ କରିବ ବୋଲି ଆଶା କରାଯାଉଛି।
ସଂସଦର ଆଗାମୀ ଅଧିବେଶନରେ ନ୍ୟାୟପାଳିକା, ନାଗରିକ ପଞ୍ଜୀକରଣ ଓ ଶିଳ୍ପ କ୍ଷେତ୍ର ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍, ୨୦୨୬ ମାଧ୍ୟମରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି କରିବା ପ୍ରସ୍ତାବ ରହିଛି। ଏଥିପାଇଁ ୧୯୫୬ ମସିହାର ସମ୍ପର୍କିତ ଆଇନରେ ସଂଶୋଧନ ଆଣିବାକୁ ସରକାର ଉଦ୍ୟମ କରୁଛନ୍ତି।
ଏହା ସହିତ ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧନ ବିଲ୍, ୨୦୨୬ ମଧ୍ୟ ସଂସଦରେ ଆସିପାରେ। ବିଳମ୍ବିତ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରିବା ଏହି ପ୍ରସ୍ତାବିତ ସଂଶୋଧନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।
ଏଥିସହ ଜାତୀୟ ସମ୍ମାନର ଅପମାନ ନିବାରଣ ସଂଶୋଧନ ବିଲ୍, ୨୦୨୬ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ଆଇନ ସଂଶୋଧନ ସମ୍ପର୍କିତ ବିଲ୍ ମଧ୍ୟ ଆଗତ ହେବାର ସମ୍ଭାବନା ରହିଛି। ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ବର୍ତ୍ତମାନର ଆର୍ଥିକ ପରିବେଶ ସହିତ ଅଧିକ ସମନ୍ୱିତ କରିବା, ବ୍ୟବସାୟ ପ୍ରକ୍ରିୟାକୁ ସହଜ କରିବା ଏବଂ ବିଳମ୍ବିତ ଦେୟ ସମସ୍ୟାର ସମାଧାନ ପାଇଁ ଏହି ପ୍ରସ୍ତାବିତ ସଂଶୋଧନରେ ଗୁରୁତ୍ୱ ଦିଆଯାଇପାରେ।
ଅନ୍ୟପଟେ, ଏଫସିଆରଏ ବିଲ୍ ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ମଧ୍ୟ ଆଗାମୀ ଅଧିବେଶନରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ଦୁଇଟି ବିଲ୍ ପୂର୍ବରୁ ସଂସଦରେ ଆଗତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାରିତ ହୋଇନାହିଁ। ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ବର୍ତ୍ତମାନ ସଂସଦୀୟ ଯୁଗ୍ମ କମିଟିର ବିଚାରାଧୀନ ଥିବାରୁ ଏହା ଉପରେ ଆଗାମୀ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ।



