ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସମ୍ଭାବ୍ୟ ବିଜେପି ଯୋଗଦାନକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚା ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବୟାନ ରାଜନୈତିକ ମହଲରେ ଆହୁରି ଚର୍ଚ୍ଚା ସୃଷ୍ଟି କରିଛି।
ମନମୋହନ ସାମଲ କହିଛନ୍ତି ଯେ ବିଜେପି ସମସ୍ତଙ୍କ ପାଇଁ ଖୋଲା ରହିଛି ଏବଂ ଦଳର ଦ୍ୱାର ସବୁବେଳେ ଖୋଲା। ଗଞ୍ଜାମ ସମେତ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଦଳକୁ ଆହୁରି ସୁଦୃଢ଼ କରିବା ଦିଗରେ ପ୍ରୟାସ ଚାଲିଛି। ଅଧିକରୁ ଅଧିକ ଲୋକ ବିଜେପି ସହ ଯୋଡ଼ି ହୁଅନ୍ତୁ ବୋଲି ଦଳ ଚାହୁଁଥିବା ସେ କହିଛନ୍ତି।
ତେବେ ବିକ୍ରମ ଆରୁଖଙ୍କ ଦଳବଦଳ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଘୋଷଣା ହୋଇନଥିବା ବେଳେ ବିଜେପି ସଭାପତିଙ୍କ ଏହି ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି।
ବିକ୍ରମ ଆରୁଖଙ୍କ ସମ୍ଭାବ୍ୟ ବିଜେପି ଯୋଗଦାନକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ଦଳୀୟ ନେତାମାନଙ୍କ ବୟାନ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ଏନେଇ ଦଳ ଆଲୋଚନା କରିବ। ଦଳ ନିଷ୍ପତ୍ତି ନେଲେ ହିଁ ମିଶ୍ରଣ ହେବ। ଯଦି ବିକ୍ରମ ଆରୁଖ ବିଜେପିରେ ଯୋଗ ଦିଅନ୍ତି, ତେବେ ଗଞ୍ଜାମରେ ଦଳର ଶକ୍ତି ଆହୁରି ବଢ଼ିବ ବୋଲି ସେ କହିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଗଞ୍ଜାମର ୧୩ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୧୧ଟିରେ ବିଜୟୀ ହୋଇଛି। ଆଗାମୀ ନିର୍ବାଚନରେ ୧୩ରୁ ୧୩ଟି ଆସନ ଜିତିବା ଦଳର ଲକ୍ଷ୍ୟ ବୋଲି ସେ ଦାବି କରିଛନ୍ତି।
ତେବେ ବିଜେପିରେ ଯୋଗଦାନ ନେଇ ଚାଲିଥିବା ଚର୍ଚ୍ଚା ଉପରେ ବିକ୍ରମ ଆରୁଖଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ତେଣୁ ତାଙ୍କର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର।



