ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଲଗାଣ ବର୍ଷା ପରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି। ରାଜୌରୀ ଓ ପୁଞ୍ଚ ଜିଲ୍ଲାରେ ଫ୍ଲାସ୍ ଫ୍ଲଡ୍ ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ରାଜୌରୀ ସହରରେ ରାତିସାରା ମୁଷଳଧାରା ବର୍ଷା ପରେ ରାସ୍ତାଘାଟରେ ବନ୍ୟାଜଳ ପ୍ରବେଶ କରି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନନ୍ତନାଗ ଓ ଉଧମପୁର ସମେତ ଅନେକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବାବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି।
ଲଗାଣ ବର୍ଷା ଯୋଗୁଁ ଜମ୍ମୁ-କାଶ୍ମୀରର ରାଜୌରୀ ଓ ପୁଞ୍ଚ ଜିଲ୍ଲାରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି। ଫ୍ଲାସ୍ ଫ୍ଲଡ୍ ଓ ଖରାପ ପାଗ ଯୋଗୁଁ ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ପୁଞ୍ଚର ସୁରନକୋଟ ଅଞ୍ଚଳରେ ୧୦ ଜଣଙ୍କ ଜୀବନ ଯାଇଥିବାବେଳେ ରାଜୌରୀରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।
ଭୋର ପ୍ରାୟ ୩ଟା ସମୟରେ ରାଜୌରୀରେ ହଠାତ୍ ବନ୍ୟାଜଳ ବଢ଼ିବାରୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ଦୁଇଟି ଘର ଭୁଶୁଡ଼ି ପଡ଼ିଥିବାବେଳେ ବେଲା ବସ୍ ଷ୍ଟାଣ୍ଡର ତଳିଆ ଅଞ୍ଚଳ ସମ୍ପୂର୍ଣ୍ଣ ପାଣିରେ ବୁଡ଼ିଯାଇଛି। ପ୍ରବଳ ଜଳସ୍ରୋତରେ ପ୍ରାୟ ୨୦୦ରୁ ୨୫୦ଟି ଗାଡ଼ି ଭାସିଯାଇଥିବା ସୂଚନା ମିଳିଛି।
ବିପର୍ଯ୍ୟୟ ପରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରଦାର କରାଯାଇଛି। ପ୍ରଶାସନ ସହ ସେନା, ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ନଦୀ, ଝରଣା ଓ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳକୁ ନଯିବା ପାଇଁ ପ୍ରଶାସନ ଲୋକଙ୍କୁ ସତର୍କ କରିଛି।



