ଟ୍ରକ ଧକ୍କାରେ ଧର୍ମଗଡ଼ ଫରେଷ୍ଟର ଝୁନୁମାଳା ସାହୁଙ୍କ ପରଲୋକ
ଜୁନାଗଡ଼:(ବାଲେଶ୍ୱର ସୁନାନୀ )
ସଡ଼କ ଦୁର୍ଘଟଣାରେ ଜଣେ ମହିଳା ଫରେଷ୍ଟରଙ୍କ କରୁଣ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଧର୍ମଗଡ଼ ଫରେଷ୍ଟ ରେଞ୍ଜର ଫରେଷ୍ଟର ଝୁନୁମାଳା ସାହୁ।
ମିଳିଥିବା ସୂଚନା ଅନୁଯାୟୀ, ଝୁନୁମାଳା ନିଜ ଆକ୍ଟିଭା ସ୍କୁଟି ଯୋଗେ ଭବାନୀପାଟଣାରୁ ଧର୍ମଗଡ଼ ଅଭିମୁଖେ ଯାଉଥିଲେ। ଏହି ସମୟରେ ୨୬ ନମ୍ବର ଜାତୀୟ ରାଜପଥର ଜୁନାଗଡ଼ ନିକଟସ୍ଥ ଚାଞ୍ଚରା ଭାଡ଼ି ଠାରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କ ସ୍କୁଟିକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଗୋଡ଼ାଇ ଧରିଥିଲେ ଏବଂ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାଘଟାଇଥିବା ଟ୍ରକକୁ ଜବତ କରି ଡ୍ରାଇଭରକୁ ଅଟକ ରଖିଛି। ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳ ଏବଂ ବନ ବିଭାଗରେ ଶୋକର ଛାୟା ଖେଳିଯାଇଛି।



