ଆଲୁମିନିୟମ ମଜଦୁର ସଂଘ କାର୍ଯ୍ୟାଳୟରେ ପାଳିତ ହେଲା ଭାରତୀୟ ମଜଦୁର ସଂଘର ୭୨ ତମ ପ୍ରତିଷ୍ଠା ଦିବସ
ବଅଁରପାଳ,୨୩/୦୭ (ଜାଗ୍ରତ ଭାରତ ନ୍ୟୁଜ୍): ଭାରତୀୟ ମଜଦୂର ସଂଘର ୭୨ତମ ପ୍ରତିଷ୍ଠା ଦିବସ ନାଲକୋ ନଗରସ୍ଥିତ ଆଲୁମିନିୟମ ମଜଦୂର ସଂଘ (ଏ ଏମ୍ ଏସ୍ ) କାର୍ଯ୍ୟାଳୟଠାରେ ସ୍କେଲଟର ପ୍ଲାଣ୍ଟର ସ୍ୱୀକୃତିପ୍ରାପ୍ତ ସଂଗଠନ ଆଲୁମିନିୟମ ମଜଦୂର ସଂଘ (ଏ ଏମ୍ ଏସ୍),ଠିକା କର୍ମଚାରୀଙ୍କ ସଂଗଠନ,ଆଲୁମିନିୟମ ଠିକା ମଜଦୂର ସଂଘ ଏବଂ ଉତ୍କଳ-ଡି ଓ ଇ କୋଇଲା ବ୍ଳକର ଏକମାତ୍ର ଶ୍ରମିକ ସଂଗଠନ ନାଲକୋ କୋଇଲା ମଜଦୂର ସଂଘର ମିଳିତ ଆନୁକୂଲ୍ୟରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଲକୋ ଏସ୍ ଆଣ୍ଡ ପି କମ୍ପ୍ଲେକ୍ସ,ର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ପ୍ରଣବ କୁମାର ଦାସ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥ୍ ଭାବେ ମାନବ ସମ୍ବଳ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ହିମାଂଶୁ ଶେଖର ପ୍ରଧାନ,ଅପରେସନ ଓ ମେଣ୍ଟେନାନ୍ସ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ବି.ସି. ମହାରଣା ଏବଂ ପଟ୍ ଲାଇନ୍ର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଅମର କୁମାର ସାହୁ ଉପସ୍ଥିତ ଥିଲେ ।

ସମସ୍ତ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ ପରେ କାର୍ଯ୍ୟାଳୟ ସମ୍ପାଦକ ଶ୍ରୀ ତ୍ରୀପତି ସେନାପତିଙ୍କ ଦ୍ବାରା ସାମୂହିକ ଶ୍ରମିକ ସଙ୍ଗୀତ ପରିବେଷଣ କରାଯାଇଥିଲା ଏବଂ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା I ମୁଖ୍ୟବକ୍ତା ଭାବେ ଭାରତୀୟ ମଜଦୂର ସଂଘ,ଓଡ଼ିଶା ପ୍ରଦେଶର ସଭାପତି ମାନନୀୟ ଶ୍ରୀ ବାଦଲ ମହାରଣା ଯୋଗଦାନ କରି ତାଙ୍କ ବକ୍ତବ୍ୟ ମାଧ୍ୟମରେ ସମସ୍ତଙ୍କୁ ଉଦ୍ବୁଦ୍ଧ କରିଥିଲେ । ଶ୍ରୀ ମହାରଣା ଭାରତୀୟ ମଜଦୂର ସଂଘର ଶୂନ୍ୟରୁ ଶିଖର ପର୍ଯ୍ୟନ୍ତ ୭୨ ବର୍ଷର ଗୌରବମୟ ଯାତ୍ରା, ଶ୍ରମିକ ସମାଜ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବିକାଶରେ ସଂଗଠନର ଅବଦାନ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ନୂତନ ଭାବେ ପ୍ରଣୟନ ହୋଇଥିବା ଶ୍ରମ ସଂହିତାକୁ ସମସ୍ତ ଶ୍ରମିକ ସମାଜର ସମ୍ମୁଖରେ ଉପସ୍ଥାପନା କରିବା ସହିତ ଏହାର ବିଭିନ୍ନ ଦିଗ ଓ ଶ୍ରମିକମାନଙ୍କ ଉପରେ ପଡ଼ିବାକୁ ଥିବା ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । ସଂଗଠନର ସାଧାରଣ ସମ୍ପାଦକ ଶ୍ରୀ ଗୋପାଳ କୃଷ୍ଣ ମଲ୍ଲିକ ସ୍ବାଗତ ଭାଷଣ ପ୍ରଦାନ କରି କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ଅକୁଣ୍ଠ ସହଯୋଗ ଫଳରେ ସ୍ୱୀକୃତିପ୍ରାପ୍ତ ନିର୍ବାଚନରେ ସଂଗଠନର ଐତିହାସିକ ବିଜୟ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଯଣାଇଥିଲେ । ସେ ଆଗାମୀ ଦିନରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ଏକତା, ନିଷ୍ଠା ଓ ସମର୍ପଣର ମନ୍ତ୍ର ପ୍ରଦାନ କରିଥିଲେ । ଜୁବ ଶ୍ରମିକ ନେତା ତଥା ବିସିଷ୍ଠ ସମାଜ ସେବୀ ଆଲୁମିନିୟମ ମଜଦୁର ସଂଘର ସଭାପତି ଶ୍ରୀ ମୁନା ସାମଲ ଆଲୁମିନିୟମ ମଜଦୂର ସଂଘ ଦ୍ବାରା କରାଯାଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିବା ସହିତ ଅବଶିଷ୍ଟ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମସ୍ତ କର୍ମଚାରୀଙ୍କ ସହଯୋଗ କାମନା କରିଥିଲେ। ଓଡିଶା ଠିକା ମଜଦୂର ମହାସଂଘ ର ସଭାପତି ଶ୍ରୀ ମଳୟ କୁମାର ପରିଡା ଠିକା କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ ଓ ବିଭିନ୍ନ ମୌଳିକ ସୁବିଧା ସୁନିଶ୍ଚିତ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଆହ୍ୱାନ ଯଣାଇଥିଲେ। ସେହିପରି ନାଲକୋ କୋଇଲା ମଜଦୂର ସଂଘର ସାଧାରଣ ସମ୍ପାଦକ ଶ୍ରୀ ରାକେଶ ରୋଶନ ସାହୁ କୋଇଲା ଖଣିର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ସେଗୁଡ଼ିକର ଆଶୁ ସମାଧାନ ପାଇଁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରଣବ କୁମାର ଦାସ ତାଙ୍କ ଅଭିଭାଷଣରେ ନାଲକୋର ସଫଳ ପରିଚାଳନାରେ ଶ୍ରମିକ ସଂଗଠନମାନଙ୍କର ଗଠନମୂଳକ ଭୂମିକା ଉପରେ ଆଲୋକପାତ କରିବା ସହ ପାରିପାର୍ଶ୍ବକ ଅଞ୍ଚଳର ବିକାଶ ପାଇଁ ନାଲକୋ ଦ୍ବାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । ସମ୍ମାନିତ ଅତିଥ୍ ଶ୍ରୀ ହିମାଂଶୁ ଶେଖର ପ୍ରଧାନ,ଶ୍ରୀ ବି. ସି.ମହାରଣା ଏବଂ ଶ୍ରୀ ଅମର କୁମାର ସାହୁ ସଂଗଠନ ସହ ସମନ୍ବୟ ରକ୍ଷା କରି କର୍ମଚାରୀଙ୍କ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ପରିଶେଷରେ ସଂଗଠନର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଭାତ ଗଡ଼ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।




