ଚିଲିକା ଉପକୂଳରେ ଗଢ଼ିଉଠିବ ସ୍ଥାପତ୍ୟ ପାର୍କ; କଳା, ପର୍ଯ୍ୟଟନ ଓ ରୋଜଗାରକୁ ମିଳିବ ନୂଆ ଦିଗ
ଭୁବନେଶ୍ୱର: ଏସିଆର ସର୍ବବୃହତ୍ ଲବଣାକ୍ତ ଜଳ ହ୍ରଦ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ କଳା ଓ ସଂସ୍କୃତିର ନୂଆ ସମନ୍ୱୟ ଘଟାଇବାକୁ ରାଜ୍ୟ ସରକାର ଏକ ମହତ୍ୱାକାଙ୍କ୍ଷୀ ପଦକ୍ଷେପ ନେଇଛନ୍ତି। ଚିଲିକା ଉପକୂଳରେ ଏକ ସ୍ଥାପତ୍ୟ ପାର୍କ ପ୍ରତିଷ୍ଠା କରିବାକୁ ଯୋଜନା ହୋଇଥିବାବେଳେ, ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି।
ଏହି ପ୍ରକଳ୍ପକୁ ନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିଜ ସରକାରୀ ବାସଭବନରେ ଏକ ପ୍ରସ୍ତୁତି ବୈଠକ କରିଥିଲେ। ବୈଠକରେ ବିଶିଷ୍ଟ ଭାରତୀୟ ଫଟୋ ସାମ୍ବାଦିକ ଓ ପଦ୍ମଶ୍ରୀ ସମ୍ମାନିତ ପାବ୍ଲୋ ବାର୍ଥୋଲୋମ୍ୟୁ, ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ଚୁଗୁଲି ସାହୁ ଏବଂ ଗୌରମଣି ଦାସ ଯୋଗଦେଇ ପ୍ରକଳ୍ପର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ପ୍ରସ୍ତାବିତ ସ୍ଥାପତ୍ୟ ପାର୍କରେ ବିଭିନ୍ନ ପ୍ରକାରର ଭାସ୍କର୍ଯ୍ୟ ଓ କଳାକୃତି ନିର୍ମାଣ କରାଯାଇ ପ୍ରଦର୍ଶିତ ହେବ। ଏହା କେବଳ ପର୍ଯ୍ୟଟକଙ୍କ ପାଇଁ ଏକ ନୂଆ ଆକର୍ଷଣ ହେବ ନୁହେଁ, ବରଂ ରାଜ୍ୟର ସମୃଦ୍ଧ ଭାସ୍କର୍ଯ୍ୟ ପରମ୍ପରାକୁ ବିଶ୍ୱସ୍ତରରେ ପରିଚିତ କରାଇବାରେ ମଧ୍ୟ ସହାୟକ ହେବ।
ଏହି ପ୍ରକଳ୍ପ ମାଧ୍ୟମରେ ସ୍ଥାନୀୟ ଯୁବକ-ଯୁବତୀ ଓ ଉଦୀୟମାନ କାରିଗରମାନଙ୍କୁ ଭାସ୍କର୍ଯ୍ୟ କଳାରେ ପ୍ରଶିକ୍ଷଣ, ଦକ୍ଷତା ବିକାଶ ଏବଂ ରୋଜଗାରର ସୁଯୋଗ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ପାରମ୍ପରିକ କଳାର ସଂରକ୍ଷଣ, ପୁନରୁଜ୍ଜୀବନ ଓ ସ୍ଥାୟୀ ବିକାଶକୁ ମଧ୍ୟ ଏହା ଗୁରୁତ୍ୱ ଦେବ।
ରାଜ୍ୟ ସରକାରଙ୍କ ଆଶା ଅନୁଯାୟୀ, ଏହି ସ୍ଥାପତ୍ୟ ପାର୍କ ସାକାର ହେଲେ ଚିଲିକା କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟର କେନ୍ଦ୍ର ନୁହେଁ, ବରଂ କଳା, ସଂସ୍କୃତି ଓ ପର୍ଯ୍ୟଟନର ଏକ ନୂଆ ପରିଚୟ ସୃଷ୍ଟି କରିବା ସହ ଅଞ୍ଚଳର ଆର୍ଥିକ ବିକାଶକୁ ମଧ୍ୟ ଗତି ଦେବ।



