ଭାଇକୁ ହତ୍ୟା କରି ଶ୍ମଶାନରେ ପୋତିଦେବା ଅଭିଯୋଗ

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ସୁଷୁବା ଗ୍ରାମରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ବଡ଼ଭାଇଙ୍କୁ ଗଳା କାଟି ହତ୍ୟା କରିବା ପରେ ଶବକୁ ନେଇ ଶ୍ମଶାନରେ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ସନ୍ଦେହ ଆଧାରରେ ସାନଭାଇଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି।ସୂଚନା ଅନୁଯାୟୀ, ସୁଷୁବା ଗ୍ରାମର ଦୀପକ ଦେହୁରୀ ଙ୍କୁ ପରିବାରର ଅନ୍ୟ ସଦସ୍ୟମାନେ ଘରେ ନଥିବା ବେଳେ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପରେ ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ଶବକୁ ଗାଁ ଶ୍ମଶାନରେ ପୋତି ଦିଆଯାଇଥିବା କୁହାଯାଉଛି।ଘଟଣା ଜଣାପଡ଼ିବା ପରେ ପାଳଲହଡା ଏସଡିପିଓ ଓ ରେଙ୍ଗାଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାରେ ମୃତକଙ୍କ ସାନଭାଇ ସିପୁନ ଦେହୁରୀ ଙ୍କୁ ସନ୍ଦେହ ଆଧାରରେ ପୋଲିସ ଗିରଫ କରିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।ପାରିବାରିକ କଳହ ନା ଅନ୍ୟ କୌଣସି କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି, ତାହାର ତଦନ୍ତ ଜାରି ରହିଛି। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ଛାନଭିନ୍ କରୁଛି।କଣିହାଁ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ



