ଗଭୀର ଅବପାତ ନେଇ ରାଜ୍ୟ ସରକାର ସଜାଗ: ୨୪ ଘଣ୍ଟିଆ ସତର୍କତାରେ ଜିଲ୍ଲା ପ୍ରଶାସନ, ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ପୂର୍ଣ୍ଣ ସତର୍କ ହୋଇଛନ୍ତି। ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ବିଭିନ୍ନ ଜିଲ୍ଲାର ପ୍ରସ୍ତୁତିର ଆକଳନ କରିଛନ୍ତି।
ବୈଠକରେ ମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ, ଜନସାଧାରଣଙ୍କ ଜୀବନର ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ବିପଦପୂର୍ଣ୍ଣ ଅଞ୍ଚଳରୁ ଆବଶ୍ୟକ ହେଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଆଶ୍ରୟସ୍ଥଳ ପ୍ରସ୍ତୁତି, ରନ୍ଧା ଖାଦ୍ୟ, ଶୁଖିଲା ରାସନ, ପାନୀୟ ଜଳ ଓ ଅନ୍ୟାନ୍ୟ ରିଲିଫ ସାମଗ୍ରୀର ପର୍ଯ୍ୟାପ୍ତ ବ୍ୟବସ୍ଥା ରଖିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସମସ୍ତ ଜରୁରୀକାଳୀନ ବିଭାଗ ମଧ୍ୟରେ ସମନ୍ୱୟ ରଖି ଯେକୌଣସି ପରିସ୍ଥିତିର ତ୍ୱରିତ ମୁକାବିଲା କରିବାକୁ କୁହାଯାଇଛି।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ନିଜ ଅଞ୍ଚଳର ପ୍ରସ୍ତୁତି ଓ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରତ୍ୟେକ ଜିଲ୍ଲାର ସମ୍ଭାବ୍ୟ ବିପଦପୂର୍ଣ୍ଣ ସ୍ଥାନ ଉପରେ ନିରନ୍ତର ନଜର ରଖିବା ସହ ଆବଶ୍ୟକ ସ୍ଥାନରେ ତୁରନ୍ତ ପ୍ରତିଷେଧକ ପଦକ୍ଷେପ ନେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁଯାୟୀ, ଗଭୀର ଅବପାତ ବାଲେଶ୍ୱର ଓ ପଶ୍ଚିମବଙ୍ଗର କ୍ୟାନିଂ ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ରେଡ୍ ୱାର୍ଣ୍ଣିଂ, ଏକାଧିକ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ରାଜ୍ୟର ଷ୍ଟେଟ୍ ଇମର୍ଜେନ୍ସି ଅପରେସନ୍ ସେଣ୍ଟର (SEOC) ଏବଂ ସମସ୍ତ ଜିଲ୍ଲା ଇମର୍ଜେନ୍ସି ଅପରେସନ୍ ସେଣ୍ଟର (DEOC) ୨୪ ଘଣ୍ଟିଆ ଭିତ୍ତିରେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ବର୍ତ୍ତମାନ ସମସ୍ତ ପ୍ରମୁଖ ନଦୀ ବିପଦ ସୀମା ତଳେ ପ୍ରବାହିତ ହେଉଥିବାବେଳେ କୌଣସି ଜିଲ୍ଲାରୁ ବଡ଼ ଧରଣର କ୍ଷୟକ୍ଷତିର ସୂଚନା ମିଳିନାହିଁ। ତଥାପି ସ୍ଥାନୀୟ ଜଳଜମା, ଜଳବନ୍ଦୀ ଓ ଅନ୍ୟାନ୍ୟ ସମ୍ଭାବ୍ୟ ପରିସ୍ଥିତିକୁ ତୁରନ୍ତ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାସହ ମତ୍ସ୍ୟଜୀବୀମାନଙ୍କୁ ଜୁଲାଇ ୨୯ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳକୁ ମାଛ ଧରିବା ପାଇଁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସରକାର ସମସ୍ତ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଥିବା ବେଳେ ଆବଶ୍ୟକ ହେଲେ ତୁରନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି।



