ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ; ଆଶ୍ରମ ବିକାଶ ପାଇଁ ₹୧୩ କୋଟି ମଞ୍ଜୁର
ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ଫୁଲବାଣୀକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କନ୍ଧମାଳର ଜନଜାତି ସମାଜ ପାଇଁ ସ୍ୱାମୀଜୀଙ୍କ ଦୀର୍ଘଦିନର ସେବା ଓ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି।
ଏହା ସହ ଜଲେଶପଟ୍ଟାସ୍ଥିତ ସ୍ୱାମୀଜୀଙ୍କ ଆଶ୍ରମ, ଆଶ୍ରମ ସ୍କୁଲ ଏବଂ କନ୍ୟାଶ୍ରମର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ₹୧୩ କୋଟି ଅନୁମୋଦନ କରାଯାଇଛି। ଏହି ଅର୍ଥରେ ୩୦୦ ଆସନ ବିଶିଷ୍ଟ ଛାତ୍ରୀନିବାସ, ଐତିହ୍ୟ ସ୍ଥଳର ସଂରକ୍ଷଣ, ନଦୀଜଳ ଉଠାଣ ପ୍ରକଳ୍ପ, ଶୌଚାଳୟ, ଅତିରିକ୍ତ ଛାତ୍ରାବାସ, ପ୍ରାଚୀର, ଶ୍ରେଣୀଗୃହ ଏବଂ ହଷ୍ଟେଲର ନବୀକରଣ ଭଳି ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯିବ।
ସରକାରଙ୍କ ମତାନୁସାରେ, ଏହି ପଦକ୍ଷେପ ଦ୍ୱାରା ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସ୍ମୃତିକୁ ସଂରକ୍ଷିତ କରିବା ସହ ଶିକ୍ଷା ଓ ସାମାଜିକ ସେବା କ୍ଷେତ୍ରରେ ତାଙ୍କ ଆଦର୍ଶକୁ ଆଗକୁ ନିଆଯିବ।



