ଜାତୀୟ ରାଜପଥରେ ଯାତ୍ରୀଙ୍କୁ ବଡ଼ ସୁବିଧା; ଟୋଲ ପ୍ଲାଜାରେ ହେବ ବିଶ୍ୱସ୍ତରୀୟ ଶୌଚାଳୟ
ନୂଆଦିଲ୍ଲୀ, ୩୦ ଜୁଲାଇ: ଜାତୀୟ ରାଜପଥରେ ଯାତ୍ରାକୁ ଅଧିକ ସୁବିଧାଜନକ ଓ ସ୍ୱଚ୍ଛ କରିବା ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଦେଶବ୍ୟାପୀ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛି। ଏହି ଯୋଜନା ଅନୁଯାୟୀ ଦେଶର ବିଭିନ୍ନ ଟୋଲ ପ୍ଲାଜାରେ ବିଶ୍ୱସ୍ତରୀୟ ସର୍ବସାଧାରଣ ଶୌଚାଳୟ ନିର୍ମାଣ ଓ ପୁରୁଣା ସୁବିଧାର ଆଧୁନିକୀକରଣ କରାଯିବ।
ଏହି ପ୍ରକଳ୍ପରେ ସ୍ୱଦେଶୀ ଡିଜାଇନ୍, ପରିବେଶ ଅନୁକୂଳ ନିର୍ମାଣ ପ୍ରଣାଳୀ ଓ ଦୀର୍ଘସ୍ଥାୟୀ ଭିତ୍ତିଭୂମିକୁ ପ୍ରାଥମିକତା ଦିଆଯିବ। ଯାତ୍ରୀମାନଙ୍କୁ ସ୍ୱଚ୍ଛ, ସୁରକ୍ଷିତ ଓ ସହଜରେ ବ୍ୟବହାରଯୋଗ୍ୟ ଶୌଚାଳୟ ସୁବିଧା ଯୋଗାଇବା ସହ ସମଗ୍ର ଜାତୀୟ ରାଜପଥରେ ସମାନ ମାନର ସୁବିଧା ନିଶ୍ଚିତ କରାଯିବ।
ଶୌଚାଳୟର ରକ୍ଷଣାବେକ୍ଷଣ ପାଇଁ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ (IoT) ଆଧାରିତ ରିଅଲ୍-ଟାଇମ୍ ମନିଟରିଂ ବ୍ୟବସ୍ଥା ଲାଗୁ କରାଯିବ। ଏହା ମାଧ୍ୟମରେ ପରିଷ୍କାର-ପରିଚ୍ଛନ୍ନତା ଓ ସେବାର ଗୁଣବତ୍ତା ଉପରେ ନିରନ୍ତର ନଜର ରଖାଯିବ। ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟଦକ୍ଷତାକୁ ସ୍ୱୟଂଚାଳିତ ମୂଲ୍ୟାୟନ, ସ୍ୱାଧୀନ ଅଡିଟ୍ ଏବଂ ‘ରାଜମାର୍ଗଯାତ୍ରା’ ମୋବାଇଲ୍ ଆପ୍ରେ ମିଳୁଥିବା ଯାତ୍ରୀଙ୍କ ମତାମତ ଆଧାରରେ ଆକଳନ କରାଯିବ।
ଦିବ୍ୟାଙ୍ଗଙ୍କ ଅଧିକାର ଆଇନ–୨୦୧୬ ଅନୁଯାୟୀ ସମସ୍ତ ନୂଆ ଶୌଚାଳୟରେ ବାଧାମୁକ୍ତ ପ୍ରବେଶ ବ୍ୟବସ୍ଥା ରହିବ। ଏଥିସହ ସ୍ୱଚ୍ଛ ପାଣି, ଆଧୁନିକ ପରିମଳ ବ୍ୟବସ୍ଥା ଓ ମହିଳା ଯାତ୍ରୀଙ୍କ ସୁରକ୍ଷା ଓ ଗୋପନୀୟତାକୁ ବିଶେଷ ଗୁରୁତ୍ୱ ଦିଆଯିବ।
NHAIର ଏହି ପଦକ୍ଷେପ ଜାତୀୟ ରାଜପଥରେ ଯାତ୍ରୀମାନଙ୍କ ଭ୍ରମଣ ଅନୁଭୂତିକୁ ଅଧିକ ଆରାମଦାୟକ କରିବା ସହ ସାର୍ବଜନୀନ ସୁବିଧା କ୍ଷେତ୍ରରେ ଏକ ନୂଆ ମାନକ ସ୍ଥାପନ କରିବ ବୋଲି ଆଶା କରାଯାଉଛି।



