ମହାନଦୀରେ ବନ୍ୟା ଆଶଙ୍କା ନାହିଁ, ସ୍ଥିତି ଉପରେ ସତର୍କ ନଜର : ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର, ୨ ଅଗଷ୍ଟ : ରାଜ୍ୟର ପ୍ରମୁଖ ନଦୀ ମହାନଦୀ ସମେତ ଅନ୍ୟ କୌଣସି ନଦୀରେ ବର୍ତ୍ତମାନ ବନ୍ୟା ଆଶଙ୍କା ନଥିବା ସ୍ପଷ୍ଟ କରିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ। ନଦୀ ଓ ଜଳଭଣ୍ଡାରର ସ୍ଥିତି ସମୀକ୍ଷା ପରେ ସେ କହିଛନ୍ତି ଯେ, ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ଏବଂ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଉଛି।
ତାଙ୍କ କହିବାନୁସାରେ, ଜୁନ୍ ମାସରେ ସ୍ୱାଭାବିକ ତୁଳନାରେ ୪୭ ପ୍ରତିଶତ କମ୍ ବର୍ଷା ହୋଇଥିବାରୁ ରିଜର୍ଭରଗୁଡ଼ିକରେ ପାଣି ସଂରକ୍ଷିତ ରଖାଯାଇଥିଲା। ଏଲ୍ ନିନୋ ପ୍ରଭାବ ଯୋଗୁଁ ଜୁଲାଇରେ ମଧ୍ୟ କମ୍ ବର୍ଷା ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ବାସ୍ତବରେ ଜୁଲାଇରେ ସ୍ୱାଭାବିକ ତୁଳନାରେ ୩୮ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିଲା।
ବିଶେଷକରି କେତେକ ଅଞ୍ଚଳରେ ଅତ୍ୟଳ୍ପ ସମୟ ମଧ୍ୟରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହେବା ଫଳରେ ସ୍ଥାନୀୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତଥାପି ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ପୂର୍ବରୁ ସୁଦୃଢ଼ ବ୍ୟବସ୍ଥା ରହିଥିବାରୁ ବଡ଼ ଧରଣର ବିପଦ ଦେଖାଯାଇନାହିଁ।
ଅନ୍ୟପକ୍ଷରେ, ବୈତରଣୀ ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ସେପରି କୌଣସି ସ୍ଥାୟୀ ବ୍ୟବସ୍ଥା ନଥିବାରୁ ସେହି ଅଞ୍ଚଳର ସ୍ଥିତି ଉପରେ ବିଶେଷ ନଜର ରଖାଯାଉଥିବା ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।



