ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କଟକରେ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର କରିବେ ଶୁଭ ଉଦ୍ଘାଟନ
ଭୁବନେଶ୍ୱର, ୨ ଅଗଷ୍ଟ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସୋମବାର ଏକଦିନିଆ ଓଡ଼ିଶା ଗସ୍ତରେ ଆସି କଟକରେ ନବସ୍ଥାପିତ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଔପଚାରିକ ଉଦ୍ଘାଟନ କରିବେ। ଏହି ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ରହିବେ।
ଜଗଦ୍ଗୁରୁ ଶ୍ରୀକୃପାଳୁଜୀ ମହାରାଜଙ୍କ ଆଦର୍ଶ ଓ ଦିବ୍ୟ ପ୍ରେରଣାକୁ ଆଧାର କରି ଏହି ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଛି। ଏହାର ରୂପାୟଣରେ ବିଶ୍ୱପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ଦୀର୍ଘଦିନର ପ୍ରୟାସ ଓ ନେତୃତ୍ୱ ରହିଛି। ସେ ଆଇଆଇଟି ଦିଲ୍ଲୀ ଓ ଆଇଆଇଏମ କଲିକତାର ପୂର୍ବତନ ଛାତ୍ର ହେବା ସହ ଅନେକ ଲୋକପ୍ରିୟ ପୁସ୍ତକର ରଚୟିତା ମଧ୍ୟ ଅଟନ୍ତି।
ପ୍ରାୟ ୧୦୦ ଏକର ପରିସରରେ ବିକଶିତ ଏହି ବିଶ୍ୱବିଦ୍ୟାଳୟରେ ପ୍ରଥମ ଶିକ୍ଷାବର୍ଷରୁ ଇଞ୍ଜିନିୟରିଂ, ପରିଚାଳନା, କମ୍ପ୍ୟୁଟର ଆପ୍ଲିକେସନ୍ ଏବଂ ସ୍ୱାସ୍ଥ୍ୟ ବିଜ୍ଞାନ ବିଭାଗରେ ପାଠପଢ଼ା ଆରମ୍ଭ ହୋଇଛି। ଏହା ସହ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଡାଟା ସାଇନ୍ସ, ସାଇବର ସିକ୍ୟୁରିଟି, ପ୍ରଡକ୍ଟ ଇଞ୍ଜିନିୟରିଂ, ବିଜିନେସ୍ ଆଡମିନିଷ୍ଟ୍ରେସନ୍ ଏବଂ ବି.ଏନ୍.ୱାଇ.ଏସ୍ ପରି ଆଧୁନିକ ପାଠ୍ୟକ୍ରମକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଭବିଷ୍ୟତରେ ବିଶ୍ୱବିଦ୍ୟାଳୟଟି ବିଭିନ୍ନ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ ମାଧ୍ୟମରେ ବୈଦିକ ଜ୍ଞାନ, ଯୋଗ ବିଜ୍ଞାନ, ସମନ୍ୱିତ ସ୍ୱାସ୍ଥ୍ୟ ଏବଂ ମାନବୀୟ ଉତ୍କର୍ଷ କ୍ଷେତ୍ରରେ ଉଚ୍ଚସ୍ତରୀୟ ଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହନ ଦେବାକୁ ଲକ୍ଷ୍ୟ ରଖିଛି।



