ବଅଁରପାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ
ବଅଁରପାଳ, ୬ ଅଗଷ୍ଟ: ବଅଁରପାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ଉତ୍ସାହ ଓ ଆନନ୍ଦର ପରିବେଶ ମଧ୍ୟରେ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ବିଦ୍ୟାଳୟର ଶିଶୁ ଓ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରକଳ୍ପ, ମଡେଲ୍ ଓ ସୃଜନଶୀଳ ପ୍ରଦର୍ଶନୀ ଉପସ୍ଥାପନ କରି ନିଜର ପ୍ରତିଭାର ପରିଚୟ ଦେଇଥିଲେ।
ମୁଖ୍ୟଅତିଥି ଭାବେ ପୁର୍ବତନ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଧିର ପ୍ରଦୀପ ପ୍ରଜ୍ବଳନ କରି ବିଜ୍ଞାନ ମେଳା ର ଶୁଭ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ସତ୍ୟବାନ ବରାହ, ସଂପାଦକ ଅଖିଳ କୁମାର ମହାପାତ୍ର, ପ୍ରଧାନ ଆଚାର୍ଯ୍ୟ ଧର୍ମାନନ୍ଦ ସାହୁ, ବରିଷ୍ଠ ସାମ୍ୱାଦିକ ସଞ୍ଜୟ କୁମାର ବିଶୋଇ ଓ ପରିଚାଳନା କମିଟିର ସଦସ୍ୟା ଶ୍ରୀମତୀ ନାୟକ ଉପସ୍ଥିତ ଥିଲେ।
ମେଳାରେ ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ନବୀକରଣଯୋଗ୍ୟ ଶକ୍ତି, ସ୍ୱଚ୍ଛ ଭାରତ, ସ୍ମାର୍ଟ କୃଷି, ଡିଜିଟାଲ୍ ପ୍ରଯୁକ୍ତି, ରୋବୋଟିକ୍ସ ଏବଂ ବିଭିନ୍ନ ବୈଜ୍ଞାନିକ ଉଦ୍ଭାବନ ସମ୍ବନ୍ଧୀୟ ଆକର୍ଷଣୀୟ ମଡେଲ୍ ପ୍ରଦର୍ଶିତ ହୋଇଥିଲା। ପ୍ରତ୍ୟେକ ପ୍ରକଳ୍ପର ବୈଜ୍ଞାନିକ ଦିଗ ଓ ସାମାଜିକ ଉପଯୋଗିତା ସମ୍ପର୍କରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ଅତିଥି ଓ ଦର୍ଶକଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଜ୍ଞାନ-ବିଜ୍ଞାନ ମେଳାର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ ଯେ, ଏଭଳି କାର୍ଯ୍ୟକ୍ରମ ଶିଶୁମାନଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଓ ଅନୁସନ୍ଧାନ ପ୍ରବୃତ୍ତିର ବିକାଶ ଘଟାଇବା ସହ ସେମାନଙ୍କୁ ଭବିଷ୍ୟତର ଚ୍ୟାଲେଞ୍ଜ ମୁକାବିଲା ପାଇଁ ପ୍ରସ୍ତୁତ କରିଥାଏ।
ମେଳାରେ ଅଭିଭାବକ, ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ବହୁ ସଂଖ୍ୟକ ଦର୍ଶକ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନୀର ପ୍ରଶଂସା କରିଥିଲେ। ଶେଷରେ ଉତ୍କୃଷ୍ଟ ପ୍ରକଳ୍ପ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
ସମଗ୍ର କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ସୁଚାରୁ ଭାବେ ପରିଚାଳନା କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ନୂତନ ଚିନ୍ତାଧାରା ମେଳାକୁ ସଫଳ ଓ ଆକର୍ଷଣୀୟ କରିଥିଲା।



