ପିଏମ୍ ଆବାସ ବିଲ୍ ପାସ୍ ପାଇଁ ଲାଞ୍ଚ; ଭିଜିଲାନ୍ସ ଜାଲରେ ପଞ୍ଚାୟତ ଡାଟା ଏଣ୍ଟ୍ରି ଅପରେଟର
ନୟାଗଡ଼, ୮ ଅଗଷ୍ଟ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ) ଅଧୀନରେ ଘର ନିର୍ମାଣ ବିଲ୍ ପାସ୍ କରାଇଦେବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ନୟାଗଡ଼ ଜିଲ୍ଲାର ଜଣେ ପଞ୍ଚାୟତ ଡାଟା ଏଣ୍ଟ୍ରି ଅପରେଟର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ ରଣପୁର ବ୍ଲକ ଅଧୀନ ରାଜଜଙ୍କିଆ ପଞ୍ଚାୟତର ପ୍ରଶାନ୍ତ କୁମାର ଭଟ୍ଟ।
ସୂଚନା ଅନୁଯାୟୀ, ରାଜଜଙ୍କିଆ ପଞ୍ଚାୟତର ହିତାଧିକାରୀ ଅକ୍ଷୟ କୁମାର ମାଝୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ସମ୍ପୂର୍ଣ୍ଣ କରିଥିଲେ। ଶେଷ କିସ୍ତି ବାବଦ ୪୦ ହଜାର ଟଙ୍କାର ବିଲ୍ ପାସ୍ କରିବା ପାଇଁ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ୧୧ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ପୂର୍ବରୁ ୭ ହଜାର ଟଙ୍କା ନେଇଥିବା ବେଳେ ଅବଶିଷ୍ଟ ୪ ହଜାର ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା।
ଅଭିଯୋଗକାରୀଙ୍କ ସୂଚନା ଆଧାରରେ ଭିଜିଲାନ୍ସ ପୂର୍ବରୁ ଫାନ୍ଦ ପକାଇଥିଲା। ରଙ୍ଗବୋଳା ଟଙ୍କା ଗ୍ରହଣ କରିବା ପରେ ଅଧିକାରୀମାନେ ପ୍ରଶାନ୍ତ ଭଟ୍ଟଙ୍କୁ ଧରି ନୟାଗଡ଼ ଏବଂ ପରେ ଭୁବନେଶ୍ୱରକୁ ନେଇ ପଚରାଉଚରା ଜାରି ରଖିଛନ୍ତି।
ଏହି ଚଢ଼ାଉରେ ଭିଜିଲାନ୍ସର ଡିଏସ୍ପି ସୁରେନ୍ଦ୍ର କୁମାର ବଳ ଓ ଅଶୋକ କୁମାର ବିରୁଆ, ଇନ୍ସପେକ୍ଟର ମଧୁସ୍ମିତା କର, ଜ୍ଞାନରଞ୍ଜନ ମହାପାତ୍ର ଏବଂ ଭବାନୀ ଶଙ୍କର ପଟ୍ଟନାୟକଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ୍ ସାମିଲ ଥିଲେ।



