ନୋଏଡ଼ାର ହାୟର ଉତ୍ପାଦନ କେନ୍ଦ୍ର ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଶିଳ୍ପ ବିକାଶ ଓ ନିବେଶ ସୁଯୋଗ ନେଇ ଗୁରୁତ୍ୱ
ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ଓ ନିବେଶର ନୂଆ ସମ୍ଭାବନା ସୃଷ୍ଟି ଲକ୍ଷ୍ୟରେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତରପ୍ରଦେଶର ନୋଏଡ଼ାସ୍ଥିତ ହାୟର କମ୍ପାନୀର ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଛନ୍ତି।
ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀ କମ୍ପାନୀର ବିଭିନ୍ନ ଉତ୍ପାଦନ ବ୍ୟବସ୍ଥା ଓ ପ୍ରକ୍ରିୟାକୁ ନିକଟରୁ ଅନୁଧ୍ୟାନ କରିଥିଲେ। ଏଥିସହ କମ୍ପାନୀର କର୍ମଚାରୀ ଓ ଟେକ୍ନିସିଆନମାନଙ୍କ ସହ ଆଲୋଚନା କରି ଉତ୍ପାଦନ ପ୍ରକ୍ରିୟା, ବୈଷୟିକ ବ୍ୟବସ୍ଥା ଏବଂ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ତଥ୍ୟ ଜାଣିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଏହି ପରିଦର୍ଶନକୁ ଓଡ଼ିଶାରେ ବୃହତ୍ ଶିଳ୍ପ ପ୍ରତିଷ୍ଠା ଓ ନିବେଶ ଆକର୍ଷଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ରାଜ୍ୟରେ ଶିଳ୍ପ ଭିତ୍ତିଭୂମିର ବିକାଶ ସହ ନୂଆ ନିଯୁକ୍ତି ସୁଯୋଗ ଓ ଦକ୍ଷତା ବିକାଶର ଅବକାଶ ସୃଷ୍ଟି କରିବା ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଏଭଳି ଶିଳ୍ପ ପରିଦର୍ଶନ ତାହାକୁ ଆହୁରି ଗତି ଦେଇପାରେ।
ଏହି ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ।



