ଛାତ୍ରଛାତ୍ରୀଙ୍କ ସୃଜନଶୀଳତାରେ ହାତୀ ସଂରକ୍ଷଣର ବାର୍ତ୍ତା
ଅନୁଗୋଳ: ହାତୀ ସଂରକ୍ଷଣ ଓ ବନ୍ୟଜୀବ ପ୍ରତି ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଲକ୍ଷ୍ୟରେ ବଡ଼କେରା ଜଗନ୍ନାଥ ହାଇସ୍କୁଲ ପରିସରରେ ବିଶ୍ୱ ହାତୀ ଦିବସ ପାଳିତ ହୋଇଛି। ଅନୁଗୋଳ ରେଞ୍ଜର ପୁରୁଣାଗଡ଼ ସେକ୍ସନ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନେ ଉତ୍ସାହର ସହ ଭାଗ ନେଇ ହାତୀ ସୁରକ୍ଷା ପ୍ରତି ନିଜର ଚିନ୍ତାଧାରା ଓ ସୃଜନଶୀଳତା ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଅନୁଗୋଳର ACFଙ୍କ ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, ଓଡ଼ିଶା ସରକାରଙ୍କ ଗଜ ସଂରକ୍ଷଣ ପ୍ରକଳ୍ପ, TATA Power ଏବଂ SNEHA NGOର ପ୍ରତିନିଧିମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ହାତୀ ସଂରକ୍ଷଣର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇଥିଲେ।
ସଚେତନତାକୁ ଆକର୍ଷଣୀୟ କରିବା ପାଇଁ ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ପେଣ୍ଟିଂ ଓ କୁଇଜ୍ ପ୍ରତିଯୋଗିତା ହୋଇଥିଲା। ଛାତ୍ରଛାତ୍ରୀମାନେ ନିଜ ଚିତ୍ର, ଲେଖା ଓ ଉତ୍ତର ମାଧ୍ୟମରେ ହାତୀ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତାକୁ ଉପସ୍ଥାପନ କରିଥିଲେ।
ପ୍ରତିଯୋଗିତା ପରେ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷାର ବାର୍ତ୍ତା ମଧ୍ୟ ଦିଆଯାଇଥିଲା।
ଏହି ଆୟୋଜନ ଛାତ୍ରଛାତ୍ରୀଙ୍କୁ ହାତୀ ସଂରକ୍ଷଣ ସହ ଜଙ୍ଗଲର ଗୁରୁତ୍ୱ ଏବଂ ମଣିଷ-ହାତୀ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଆବଶ୍ୟକତା ବୁଝିବାର ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିଛି।
ସଚେତନ ଶିଶୁ, ସୁରକ୍ଷିତ ପ୍ରକୃତି—ଆଜିର ଛାତ୍ରଛାତ୍ରୀ ହିଁ ଆସନ୍ତାକାଲିର ବନ୍ୟଜୀବ ସୁରକ୍ଷାର ପ୍ରହରୀ।



