ହାତୀ ସୁରକ୍ଷା ଡ୍ୟୁଟିରେ ବନ କର୍ମଚାରୀଙ୍କୁ ଆକ୍ରମଣ; ଅଭିଯୁକ୍ତ ଗିରଫ
ଅନୁଗୁଳ: ହାତୀ ସୁରକ୍ଷା ଡ୍ୟୁଟି ସମୟରେ ବନ କର୍ମଚାରୀଙ୍କ ଉପରେ ପଥର ଫିଙ୍ଗି ଆକ୍ରମଣ ଅଭିଯୋଗ ଘଟଣାକୁ ନେଇ ଅନୁଗୁଳ ବନଖଣ୍ଡ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।

ଛେଣ୍ଡିପଦା ରେଞ୍ଜ ଅଧୀନରେ ହାତୀ ସୁରକ୍ଷା ଡ୍ୟୁଟିରେ ନିୟୋଜିତ ଏଲିଫାଣ୍ଟ ସ୍କ୍ୱାଡ୍ ସଦସ୍ୟ ଶ୍ରୀ ସୁଦର୍ଶନ ସାହୁଙ୍କ ଉପରେ ପଥର ଫିଙ୍ଗି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ବାଗଡ଼ିଆ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଧାତା ମାଝୀଙ୍କୁ ଗିରଫ କରିଛି। ସେ କଦମଘାଟ, କର୍ଣ୍ଣପାଳ ଗ୍ରାମର ଗୋପୀ ମାଝୀଙ୍କ ପୁଅ ବୋଲି ଜଣାପଡ଼ିଛି।
ଗିରଫ ପରେ ଅଭିଯୁକ୍ତଙ୍କ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ଆରମ୍ଭ ହୋଇଛି। ଘଟଣାରେ ପୋଲିସ ପ୍ରଶାସନର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ସହଯୋଗକୁ ଅନୁଗୁଳ ବନଖଣ୍ଡ ପକ୍ଷରୁ ପ୍ରଶଂସା କରାଯାଇଛି।
ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସମ୍ମୁଖସାରୀ ବନ କର୍ମଚାରୀଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା। ମାନବ ସୁରକ୍ଷା ସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ମାନବ-ହାତୀ ସଂଘର୍ଷ ହ୍ରାସ ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଓ ଦାୟିତ୍ୱପୂର୍ଣ୍ଣ ଆଚରଣ ଅତ୍ୟନ୍ତ ଆବଶ୍ୟକ।



