ଜିଲ୍ଲା ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

ଅନୁଗୋଳ, ୧୫.୦୮ : ଅନୁଗୋଳ ପୋଲିସ ଟ୍ରେନିଂ କଲେଜ ପଡ଼ିଆ ଠାରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ଦ୍ଧାରିତ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଳ ଜୈନ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ସ୍ୱାଧୀନତା ସଂଗ୍ରାମର ଅମର ଶହୀଦମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଜିଲ୍ଲାର ଗୌରବମୟ ଇତିହାସ, ପ୍ରଜାମଣ୍ଡଳ ଆନ୍ଦୋଳନ ଏବଂ ସଂଗ୍ରାମୀମାନଙ୍କ ତ୍ୟାଗକୁ ସ୍ମୃତିଚାରଣ କରିଥିଲେ। କବି ରାଧାମୋହନ ଗଡ଼ନାୟକଙ୍କ ପଂକ୍ତି ଆଧାରରେ ନିଜ ମାଟି ଓ ମୂଳ ସହ ଯୋଡ଼ି ହୋଇ ରହିବା ସହ ବିକାଶ ପଥରେ ଆଗେଇବାର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ଜିଲ୍ଲାର କୃଷି, ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ଆଲୋକପାତ କରିଥିଲେ। ଏହି ସମ୍ମିଳିତ ପରେଡରେ ରିଜର୍ଭ ଇନ୍ସପେକ୍ଟର ଶ୍ରୀ ଗୋବିନ୍ଦ ମାରାଣ୍ଡିଙ୍କ ନେତୃତ୍ୱରେ ମୋଟ ୩୫ ଗୋଟି ପ୍ଲାଟୁନ୍ ଅଂଶଗ୍ରହଣ କରିଥିଲେ। “ବନ୍ଦେ ମାତରମ”ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଜାତୀୟ ସଙ୍ଗୀତ ଗାନ ସହ ଏହି ଦେଶାତ୍ମବୋଧକ ସଙ୍ଗୀତକୁ ସ୍ୱାଧୀନତା ଦିବସ ସମାରୋହରେ ସ୍ୱତନ୍ତ୍ର ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷା ଏବଂ ସି.ବି.ଏସ.ଇ ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ନିଜ ନିଜ କ୍ଷେତ୍ରରେ ଉତ୍କୃଷ୍ଟ ସେବା ପ୍ରଦାନ କରିଥିବା ଜଣେ ଶ୍ରେଷ୍ଠ ସ୍ୱାସ୍ଥ୍ୟ କର୍ମଚାରୀ, ଶ୍ରେଷ୍ଠ ଶିକ୍ଷୟିତ୍ରୀ, ଶ୍ରେଷ୍ଠ ସଫେଇ କର୍ମଚାରୀ ଏବଂ ୪ ଜଣ ଆରକ୍ଷୀ ଅଧିକାରୀଙ୍କୁ ମୁଖ୍ୟ ଅତିଥି ସମ୍ମାନିତ ଓ ପୁରସ୍କୃତ କରିଥିଲେ। ଅଙ୍ଗଦାନ ଭଳି ମହତ କାମ କରିଥିବା ସ୍ୱର୍ଗତ ରିତେଶ ପ୍ରଧାନଙ୍କ ସହଧର୍ମିଣୀଙ୍କୁ ମଧ୍ୟ ମାନ୍ୟବର ମନ୍ତ୍ରୀ ସମ୍ମାନିତ କରିଥିଲେ। ସେହିପରି ପରେଡରେ କୃତିତ୍ୱ ହାସଲ କରିଥିବା ୬ ଗୋଟି ଦଳକୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହା ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ରକ୍ତଦାନ ଶିବିର ଉଦଘାଟନ କରିବା ସହ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଟ୍ରମା କେୟାର ପରିସରରେ ଆଇସିୟୁ (ICU),

ମୋଡ୍ୟୁଲାର ଓଟି, ଏଣ୍ଡୋସ୍କୋପି, ଇକୋ-ଆଟେଣ୍ଡାଣ୍ଟ ରେଷ୍ଟ ସେଡ୍ ଓ ‘ଜୀବନ ସାଥୀ’ ଅଟୋ-ଆମ୍ବୁଲାନ୍ସ ଭଳି ବିଭିନ୍ନ ପ୍ରମୁଖ ସ୍ୱାସ୍ଥ୍ୟସେବାର ଶୁଭ ଉଦ୍ଘାଟନ ମଧ୍ୟ କରିଥିଲେ। ପରେ ପରେ ଜେଲର ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ୱାରା ଡାକବାଜି ଯନ୍ତ୍ର ଯୋଗେ ରାମଧୂନ ବଜାଯାଇ ସହର ପରିକ୍ରମା କରିଥିଲା। ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ସହରର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିଥିଲେ। ଅପରାହ୍ନରେ ସ୍ଥାନୀୟ କଦମ୍ ପଡ଼ିଆଠାରେ ଏକ ବନ୍ଧୁତ୍ୱ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ସଭାଘର ଠାରେ ଆୟୋଜିତ ଏକକ ଅଭିନୟ ଓ କୌତୁକ ପୋଷାକ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ପୁରସ୍କୃତ କରିଥିଲେ। ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇ.ଏ.ଏସ ପ୍ରୋବେସନର ଶ୍ରୀ ଅଭି ଜୈନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ପୋଲିସ, ବୁଦ୍ଧିଜିବୀ ଓ ଗଣମାଧ୍ୟମର ପ୍ରତିନିଧିପ୍ରମୁଖ ଯୋଗ ଦେଇଥିଲେ। ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ବନମାଳୀ ବାଗ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-13-scaled.jpg)


