ବ୍ରହ୍ମପୁର, ୧୭/୮ : ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ଅବସରରେ ଗଞ୍ଜାମ ଜିଲ୍ଲାର ଐତିହାସିକ ମହୁରୀଗଡ଼ ଅଷ୍ଟଶମ୍ଭୁ ପୀଠଗୁଡ଼ିକରେ ପବିତ୍ର ରୁଦ୍ରାଭିଷେକ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବ୍ୟ ଉତ୍ସବରେ ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ଆଠଟିଯାକ ପ୍ରସିଦ୍ଧ ଶୈବପୀଠ (ଅଷ୍ଟଶମ୍ଭୁ) ପରିଦର୍ଶନ କରିବା ସହ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଦେବ ଦେବ ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ମନ୍ତ୍ରୀଙ୍କ ଗସ୍ତ ସୂଚୀ ଅନୁଯାୟୀ, ସକାଳେ ଗୋଳନ୍ଥରାର ଶ୍ରୀ ଈଶାଣେଶ୍ୱର ମନ୍ଦିରରୁ ରୁଦ୍ରାଭିଷେକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହାପରେ କୋଳଥିଗାଁର ଶ୍ରୀ ଖୋଲେଶ୍ୱର ମନ୍ଦିର, ରାଳବର ଶ୍ରୀ ଷଣ୍ଢେଶ୍ୱର ମନ୍ଦିର, ଗୌଞ୍ଜୁର ଶ୍ରୀ ସୋମେଶ୍ୱର ମନ୍ଦିର, ସୁନ୍ଦରପୁରର ଶ୍ରୀ ସୁନ୍ଦରେଶ୍ୱର ମନ୍ଦିର, ଭାବିନିପୁରର ଶ୍ରୀ ଶଙ୍କଳେଶ୍ୱର ମନ୍ଦିର, ସୁକୁଣ୍ଡାର ଶ୍ରୀ ଗୋକର୍ଣ୍ଣେଶ୍ୱର ମନ୍ଦିର ଏବଂ ଶେଷରେ ଲାଠି ସ୍ଥିତ ଶ୍ରୀ ବ୍ରହ୍ମେଶ୍ୱର ମନ୍ଦିରରେ ମାନ୍ୟବର ମନ୍ତ୍ରୀ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ପ୍ରତ୍ୟେକ ପୀଠରେ ସ୍ଥାନୀୟ ଶ୍ରଦ୍ଧାଳୁ ଓ ନେତୃବୃନ୍ଦ ମନ୍ତ୍ରୀଙ୍କୁ ସାଦର ସମ୍ବର୍ଦ୍ଧନା ଜଣାଇଥିଲେ ।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ମହୁରୀ ସାମ୍ରାଜ୍ୟର ଏହି ଐତିହାସିକ ଅଷ୍ଟଶମ୍ଭୁ ପୀଠଗୁଡ଼ିକର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ପୌରାଣିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ରାଜ୍ୟର ସଂସ୍କୃତି, ଐତିହ୍ୟର ସୁରକ୍ଷା ଏବଂ ଆଞ୍ଚଳିକ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ପ୍ରକାଶ କରିବା ସହ ସମସ୍ତ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ଓ କଲ୍ୟାଣ ନିମନ୍ତେ ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ପ୍ରାର୍ଥନା କରିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ଆଜି ଭାବିନିପୁରଠାରେ ନବନିର୍ମିତ ମାର୍କେଟ୍ କମ୍ପ୍ଲେକ୍ସର ଶୁଭ ଉଦ୍ଘାଟନ କରିଥିଲେ । ଏହି ବାଣିଜ୍ୟିକ ପ୍ରକଳ୍ପ ଆଞ୍ଚଳିକ ଅର୍ଥନୀତିକୁ ସୁଦୃଢ଼ କରିବା ସହ ସ୍ଥାନୀୟ ବ୍ୟବସାୟୀଙ୍କ ଆବଶ୍ୟକତା ପୂରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଅଞ୍ଚଳର ସମାବେଶୀ ବିକାଶ ଓ ବ୍ୟବସାୟୀଙ୍କ ଜୀବିକାର ପ୍ରଗତି ପାଇଁ ଆମର ଏହି ପ୍ରୟାସ ନିରନ୍ତର ଜାରି ରହିବ ବୋଲି ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି ।
ଏହି ରୁଦ୍ରାଭିଷେକ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ଗୈାରୀ ଶଙ୍କର ସାମନ୍ତରା, ଜଗମୋହନ ପାତ୍ର,ରଜତ ପଣ୍ଡିତ,ପି ରାଜେନ୍ଦ୍ର କୁମାର,ଏଲ୍ ମୋହନ ଦାସ,ପ୍ରଦୀପ ପଟ୍ଟନାୟକ,ସୁନିଲ ପାତ୍ର,ରାମା ରାଓ,ହୃଷୀକେଶ ବେହେରା,ସମ୍ପଦ ନାହାକ, ପ୍ରଶାନ୍ତ ପାଢ଼ୀ,ସନତ ନାୟକ,ରବିନ୍ଦ୍ର ସାହୁ,ସାଗର ସାହୁ,ଲିଟୁ ପାତ୍ର,ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଉପସଭାପତି ଗଙ୍ଗାଧର ଶତପଥୀ,ପ୍ରଭାତ କିରଣ ଷଡ଼ଙ୍ଗୀ,ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ,କର୍ପୋରେଟର ସବିତା ସାହୁ,ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବି ସୋମନାଥ ପାତ୍ର,ବି ରବି ରାଓ,କୃଷ୍ଣ ପୋଲାଇ,ସୁନିଲ କୁମାର ଦୋରା,ଆକାଶ ଗୈାଡ଼,କମଲ୍ ପାତ୍ର ପ୍ରମୁଖଙ୍କ ସମେତ ଗୋପାଳପୁର ବିଧାନସଭା ଅନ୍ତର୍ଗତ ସମସ୍ତ ମଣ୍ଡଳ ସଭାପତି,୪୪ଟି ଶକ୍ତିକେନ୍ଦ୍ରର ପ୍ରମୁଖ ଓ ସହପ୍ରମୁଖ, ବୁଥ୍ ନେତୃବୃନ୍ଦ, ବିଲ୍ଏ-୨, ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ରହିଥିଲେ ।




