ହାତୀଦାନ୍ତ ଜବତ, ୪ ଗିରଫ
ଢେଙ୍କାନାଳ, ୧୯ ଅଗଷ୍ଟ ୨୦୨୬: ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଅଧୀନରେ ହାତୀଦାନ୍ତ ରଖିଥିବା ଅଭିଯୋଗରେ ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ଏକ ହାତୀଦାନ୍ତ ଜବତ କରାଯାଇ ବନ ବିଭାଗ ହେପାଜତରେ ରଖାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ବାଘମୁଣ୍ଡାର ସିପୁନ ପାତ୍ର ଏବଂ ମହାବିରୋଡ ରେଞ୍ଜ ଅଧୀନ ତାମ୍ପେଇ ଗ୍ରାମର ଲକ୍ଷ୍ମୀଧର ନାଏକ, କୁବେର ସିଂହ ଓ ସନାତନ ନାଏକ।
ବନ ବିଭାଗର ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇଥିବା ବେଳେ ସେଠାରେ ଏକ ହାତୀଦାନ୍ତ ପାଇଥିଲେ। ପରେ ସେମାନେ ଏହାକୁ ନେଇ ଆସି ନିଜ ହେପାଜତରେ ରଖିଥିବା ତଦନ୍ତ ସମୟରେ କହିଥିବା ବନ ବିଭାଗ ପକ୍ଷରୁ ପ୍ରକାଶ।
ଜବତ ହାତୀଦାନ୍ତକୁ ବିଭାଗୀୟ ହେପାଜତରେ ରଖାଯାଇଥିବା ବେଳେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ହାତୀଦାନ୍ତଟି କେଉଁଠାରୁ ଆସିଲା ଏବଂ ଏହାର ସମ୍ପୂର୍ଣ୍ଣ ପୃଷ୍ଠଭୂମି କ’ଣ, ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବନ୍ୟଜନ୍ତୁ (ସୁରକ୍ଷା) ଆଇନ, ୧୯୭୨ ଅନୁଯାୟୀ ହାତୀଦାନ୍ତ ଓ ଅନ୍ୟ ବନ୍ୟଜନ୍ତୁ ସାମଗ୍ରୀର ରଖିବା, ସଂଗ୍ରହ, ପରିବହନ କିମ୍ବା ବ୍ୟବସାୟ ସମ୍ପୂର୍ଣ୍ଣ ନିଷିଦ୍ଧ। ଏଭଳି ବନ୍ୟଜନ୍ତୁ ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ।



