କଟକ : ଚୌଧୁରୀ ବଜାର ପୂଜା କମିଟି ବିବାଦ । ନ୍ୟାୟ ଓ ସୁରକ୍ଷା ଦାବିରେ ଡିଜିଙ୍କ ଦ୍ୱାରସ୍ଥ ହେଲେ ବାସିନ୍ଦା । ଐତିହାସିକ କଟକ ସହରର ଚର୍ଚ୍ଚିତ ଚୌଧୁରୀ ବଜାର ସାହିରେ ପୂଜା କମିଟିକୁ ନେଇ ଦେଖାଦେଇଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି । ବିବାଦର ସମାଧାନ, ଆର୍ଥିକ କାରବାରର ସ୍ୱଚ୍ଛ ହିସାବ ଏବଂ ଅଞ୍ଚଳବାସୀଙ୍କ ସୁରକ୍ଷା ଦାବିରେ ଚୌଧୁରୀ ବଜାର ବାସିନ୍ଦା ଆଜି ପୋଲିସ ଡିଜିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।ଚୌଧୁରୀ ବଜାରର ବାସିନ୍ଦା ଓ ଯୁବକମାନେ ଡିଜି ଅଫିସରେ ପହଞ୍ଚି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପୂଜା କମିଟିକୁ ନେଇ ଚାଲିଥିବା ବିବାଦରେ ପୋଲିସ ପ୍ରଶାସନ ହସ୍ତକ୍ଷେପ କରି ନିରପେକ୍ଷ ଭାବେ ସମାଧାନ କରିବା ସହ ଅଞ୍ଚଳବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସେମାନେ ଦାବି କରିଛନ୍ତି । ତେବେ ସାହି ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୧ ବର୍ଷ ଧରି ଚୟନ ପ୍ରକ୍ରିୟା ମାଧ୍ୟମରେ ପୂଜା କମିଟି ଗଠନ ହୋଇଆସୁଥିଲା । କିନ୍ତୁ ଗତ ୨୬ ଡିସେମ୍ବର ୨୦୨୫ରେ କମିଟିର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ବର୍ତ୍ତମାନର ସଭାପତି ଓ ସମ୍ପାଦକ ପଦବୀରେ ରହିଥିବା ଏବଂ କମିଟିର ଆର୍ଥିକ କାରବାରର ସମ୍ପୂର୍ଣ୍ଣ ହିସାବ ଦେଉନଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଚୌଧୁରୀ ବଜାରର ଯୁବକମାନେ ଆପତ୍ତି ଉଠାଇବା ସହ ନୂତନ କମିଟି ଗଠନ ଓ ପୂର୍ବ କମିଟିର ଆର୍ଥିକ ହିସାବ ସାର୍ବଜନୀନ କରିବାକୁ ଦାବି କରିଛନ୍ତି । ସେମାନଙ୍କ କହିବା ଅନୁସାରେ, ସ୍ଥାନୀୟ ଥାନା ଅଧିକାରୀ ଏବଂ ଜୋନ୍ ଏସିପିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଆଶାନୁରୂପ ସମାଧାନ ନମିଳିବାରୁ ଶେଷରେ ପୋଲିସ ଡିଜିଙ୍କ ନିକଟରେ ଦାବିପତ୍ର ଦେବାକୁ ପଡ଼ିଛି । ଚୌଧୁରୀ ବଜାର ଯୁବ ସଙ୍ଗଠକ ମଞ୍ଜିତ୍ କହିଛନ୍ତି ଯେ, ପୂଜା କମିଟିକୁ ନେଇ ରହିଥିବା ବିବାଦର ନିରପେକ୍ଷ ତଦନ୍ତ କରାଯାଇ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉ । ଏଥିସହ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବାକୁ ପୋଲିସ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ ବୋଲି ସେ ଦାବି କରିଛନ୍ତି ।



