ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ମଦନ ମୋହନ ଙ୍କ ଝୁଲଣ ପର୍ବ ଆରମ୍ଭ
ଢେଙ୍କାନାଳ: କୈବଲ୍ୟ ବଜାରସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଛି ପବିତ୍ର ଝୁଲଣ ପର୍ବ। ଦଶମୀ ତିଥିରୁ ଆରମ୍ଭ ହୋଇଥିବା ଏହି ପର୍ବ ପୂର୍ଣ୍ଣିମା ତିଥିରେ ଶେଷ ହେବ।
ପ୍ରଥମ ଦିନ ସନ୍ଧ୍ୟା ଆଳତି ପରେ ମଦନମୋହନଙ୍କୁ ସୁସଜ୍ଜିତ ଝୁଲଣ ବେଦୀକୁ ବିଜେ କରାଯାଇଥିଲା। ସେଠାରେ ମଙ୍ଗଳା ଅର୍ପଣ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ବିଭିନ୍ନ ପ୍ରକାରର ପୁଷ୍ପ ଓ ଭୋଗ ଅର୍ପଣ କରାଯାଇଥିଲା।
ଝୁଲଣ ପର୍ବ ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟା ଆଳତି ପରେ ମଦନମୋହନଙ୍କୁ ଝୁଲଣ ବେଦୀକୁ ବିଜେ କରାଯିବ। ଏହି ଅବସରରେ ଭକ୍ତମାନେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ସହ ଝୁଲଣ ପର୍ବର ଆଧ୍ୟାତ୍ମିକ ଆନନ୍ଦ ଲାଭ କରୁଛନ୍ତି।
ପୂଜକ ମଳୟ କର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ୍ ବେହେରା ଏବଂ ମନ୍ଦିରର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଝୁଲଣ ପର୍ବର ଶୁଭାରମ୍ଭ ହୋଇଥିଲା।
ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଝୁଲଣ ପର୍ବକୁ ନେଇ ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।



