ଏମ୍ଏମ୍ଡିଆର୍ ଆଇନ-୨୦୨୬ ରଦ୍ଦ ଦାବିରେ ଇଣ୍ଡିଆ ବ୍ଲକ୍
ଢେଙ୍କାନାଳ, ୨୩/୦୮ ଏମ୍ଏମ୍ଡିଆର୍ ଆଇନ-୨୦୨୬କୁ ତୁରନ୍ତ ରଦ୍ଦ କରିବା ଦାବିରେ ଢେଙ୍କାନାଳରେ ଇଣ୍ଡିଆ ବ୍ଲକ୍ର ସହଯୋଗୀ ଦଳଗୁଡ଼ିକର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।
ଗାନ୍ଧୀ ମନ୍ଦିର ନିକଟସ୍ଥ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ କଂଗ୍ରେସ, ସିପିଆଇ, ସିପିଆଇଏମ୍ ଓ ସିପିଆଇଏମ୍ଏଲ୍ ଲିବରେସନ୍ ସମେତ ବିଭିନ୍ନ ଦଳର ନେତା ଓ କର୍ମୀ ଯୋଗଦେଇଥିଲେ।
ବୈଠକରେ ନେତାମାନେ ଅଭିଯୋଗ କରିଥିଲେ ଯେ, ଏହି ଆଇନ ଦ୍ୱାରା ଓଡ଼ିଶାର ଖଣିଜ ସମ୍ପଦ, ରାଜସ୍ୱ ଅଧିକାର ଓ ସଂଘୀୟ ଅଧିକାର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ। ଏହାସହ କର୍ପୋରେଟ୍ ଲୁଣ୍ଠନ ଓ ଆଦିବାସୀ ଶୋଷଣ ବଢ଼ିବ ବୋଲି ସେମାନେ ମତ ଦେଇଥିଲେ।
ଆଇନ ରଦ୍ଦ ଦାବିରେ ଆସନ୍ତା ୨୫ ଅଗଷ୍ଟରେ ପ୍ରତିରୋଧ ଦିବସ ପାଳନ କରାଯିବ। ସକାଳ ୧୦ଟାରେ ହେବାକୁ ଥିବା ପ୍ରତିବାଦ ସଭାକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି।
ଏଥିସହ ଏହି ଆଇନର ପ୍ରଭାବ ଉପରେ ଆଲୋଚନା ପାଇଁ ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମଧ୍ୟ ଦାବି ହୋଇଛି।
ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ରାଜ୍ୟସ୍ତରୀୟ କନଭେନସନ୍ରେ ଢେଙ୍କାନାଳରୁ ୩୦୦ ନେତା ଓ କର୍ମୀଙ୍କ ଯୋଗଦାନ ସୁନିଶ୍ଚିତ କରିବାକୁ ମଧ୍ୟ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି।
ଏମ୍ଏମ୍ଡିଆର୍ ଆଇନ-୨୦୨୬ ରଦ୍ଦ ନହେବା ପର୍ଯ୍ୟନ୍ତ ଓଡ଼ିଶାର ସ୍ୱାର୍ଥ ପାଇଁ ଐକ୍ୟବଦ୍ଧ ଭାବେ ଆନ୍ଦୋଳନ ଜାରି ରଖିବ ଇଣ୍ଡିଆ ବ୍ଲକ୍ ଉକ୍ତ ବୈଠକକୁ ଜିଲ୍ଲାର ବରିଷ୍ଠ କଂଗ୍ରେସ୍ ସଦସ୍ୟ ରୁଦ୍ର ପ୍ରକାଶ ଶରଣ ସଭାପତିତ୍ୱ କରିଥିଲେ | ଉକ୍ତ ବୈଠକରେ ଆଭାସୀ ମାଧ୍ୟମରେ ଜିଲ୍ଲା ସଭାପତି ଛବିରାଜ ବିଶ୍ଵାଳ, ସର୍ବଜ୍ଞ ସାହୁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫକୀର ଚରଣ ବେହେରା, ଓଡାପଡା କଂଗ୍ରେସ ସଭାପତି ସୁଶାନ୍ତ କୁମାର ଧଳ, ସିପିଆଇର ରବି ରଥ ଏବଂ ଶିବରାମ ସାହୁ, ସିପିଆଇଏମ୍ର ଶ୍ରୀନିବାସ ସାହୁ, ସ୍ମିତାରାଣୀ ସାମଲ ଏବଂ ଓଡିଶା କୃଷକ ସେବା ଜିଲ୍ଲା ସଂପାଦକ ସରୋଜ ଶତପଥୀ ଉପସ୍ଥିତ ରହି ୨୫ତାରିଖ ସକାଳ ୧୦ ଘଟିକା ପ୍ରତିବାଦ ସଭାକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ ।



