ଜିବେଦୟା କାର୍ଯ୍ୟକ୍ରମରେ ଅନୁଗୋଳ ବନଖଣ୍ଡରେ ସଫଳ କମ୍ବିଂ ଅପରେସନ
ଅନୁଗୋଳ, ୨୫ ଅଗଷ୍ଟ: ବନ୍ୟଜନ୍ତୁ ସୁରକ୍ଷା ଓ ବେଆଇନ କାର୍ଯ୍ୟକଳାପ ଉପରେ ନଜର ରଖିବା ଉଦ୍ଦେଶ୍ୟରେ ଜିବେଦୟା କାର୍ଯ୍ୟକ୍ରମ ଅଧୀନରେ ମଙ୍ଗଳବାର ଅନୁଗୋଳ ବନଖଣ୍ଡର ସମସ୍ତ ରେଞ୍ଜରେ ଏକ ବ୍ୟାପକ କମ୍ବିଂ ଅପରେସନ ଅନୁଷ୍ଠିତ ହୋଇଛି।
ଅନୁଗୋଳ DFOଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଅଭିଯାନରେ ବନ ବିଭାଗର ଅଧିକାରୀ, ସମ୍ମୁଖସାରି କର୍ମଚାରୀ, ବିଭିନ୍ନ ସ୍କ୍ୱାଡ୍ର ସଦସ୍ୟ ଏବଂ ଗଜମିତ୍ର ଟିମ୍ଗୁଡ଼ିକ ସକ୍ରିୟ ଭାବେ ସାମିଲ ହୋଇଥିଲେ।
କମ୍ବିଂ ସମୟରେ ଜଙ୍ଗଲ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଗତିବିଧି ଓ ସ୍ଥିତି ଉପରେ ନଜର ରଖାଯିବା ସହ ଶିକାର, ବନ୍ୟଜନ୍ତୁ ହତ୍ୟା, ବେଆଇନ ଜବରଦଖଲ ଏବଂ ଅବୈଧ ଗଛକଟା ଭଳି କାର୍ଯ୍ୟକଳାପ ରୋକିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ବନ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଜଙ୍ଗଲରେ ନିରୀକ୍ଷଣ ବଢ଼ାଇବା ଏବଂ ବନ୍ୟଜନ୍ତୁ ଓ ଜୈବ ବିବିଧତାର ସୁରକ୍ଷା ନିଶ୍ଚିତ କରିବାରେ ଏଭଳି କ୍ଷେତ୍ରସ୍ତରୀୟ ଅଭିଯାନ ଗୁରୁତ୍ୱ ବହନ କରୁଛି।
ବନ ଓ ବନ୍ୟଜନ୍ତୁ ସୁରକ୍ଷାରେ ସମ୍ମୁଖସାରି କର୍ମଚାରୀ, ସ୍କ୍ୱାଡ୍ ସଦସ୍ୟ ଓ ଗଜମିତ୍ରମାନଙ୍କ ନିଷ୍ଠା ଓ ପ୍ରତିବଦ୍ଧତାକୁ ବନ ବିଭାଗ ପକ୍ଷରୁ ପ୍ରଶଂସା କରାଯାଇଛି।
ପ୍ରକୃତି, ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସହ ଆଗାମୀ ପିଢ଼ି ପାଇଁ ଅନୁଗୋଳର ସମୃଦ୍ଧ ଜୈବ ବିବିଧତାକୁ ସୁରକ୍ଷିତ ରଖିବା ଦିଗରେ ଏଭଳି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।



