ଜିଲ୍ଲାସ୍ତରୀୟ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ

ଅନୁଗୋଳ ଜିଲ୍ଲାର ୩ ଲକ୍ଷ ୩ ହଜାର ୬୨୨ ଜଣ ହିତାଧିକାରୀଙ୍କ ଖାତାକୁ ଗଲା ୧୫୧ କୋଟି ୮୧ ଲକ୍ଷ ୧୦ ହଜାର ଟଙ୍କା

ଅନୁଗୋଳ, ୨୮/୦୮: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନୟାଗଡ଼ ଜିଲ୍ଲାର ଲାଠିପଡ଼ାଠାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର କୋଟିଏରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଅନୁଗୋଳର ୫୦୦ରୁ ଊର୍ଦ୍ଧ୍ୱ ମହିଳା ଆଭାସୀ ମାଧ୍ୟମରେ ସ୍ଥାନୀୟ ସଭାଘରଠାରେ ଆୟୋଜିତ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ।
ସ୍ଥାନୀୟ ସଭାଘରଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ସଶକ୍ତିକରଣକୁ ଜିଲ୍ଲା ଓ ରାଜ୍ୟର ପ୍ରଗତିର ମୂଳଦୁଆ ବୋଲି କହିଥିଲେ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ନିର୍ମାଣରେ ମାଆମାନଙ୍କର ନିର୍ଣ୍ଣାୟକ ଯୋଗଦାନ ସମ୍ପର୍କରେ ସେ ଆଲୋଚନା କରିଥିଲେ।
ସେ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ‘ଲକ୍ଷପତି ଦିଦି’ ଓ ‘ସୁଭଦ୍ରା’ ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।
ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଶୁଭ ଅବସରରେ ଅନୁଗୋଳ ଜିଲ୍ଲାର ମୋଟ ୩ ଲକ୍ଷ ୩ ହଜାର ୬୨୨ ଜଣ ଯୋଗ୍ୟ ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୧୫୧ କୋଟି ୮୧ ଲକ୍ଷ ୧୦ ହଜାର ଟଙ୍କା ହସ୍ତାନ୍ତର କରାଯାଇଛି।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ମାଆ ଓ ଭଉଣୀମାନେ ଅତିଥିମାନଙ୍କୁ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ। ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାଆମାନଙ୍କ ଉଦ୍ୟମ ଦ୍ୱାରା ସମଗ୍ର ଓଡ଼ିଶାର ଗ୍ରାମୀଣ ତଥା ସହରାଞ୍ଚଳ ଅର୍ଥନୀତି ସୁଦୃଢ଼ ହେବ ବୋଲି କହିଥିଲେ।
ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ପାଳଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଅଶୋକ ମହାନ୍ତି, ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ଯୋଗଦେଇ ମହିଳା ସଶକ୍ତିକରଣ ବିନା ସମୃଦ୍ଧ ସମାଜ ଗଠନ ଅସମ୍ଭବ ବୋଲି କହିଥିଲେ।
ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନାର ସୁଫଳ ସମ୍ପର୍କରେ ଉପସ୍ଥିତ ମହିଳାମାନଙ୍କୁ ଅତିଥିମାନେ ଅବଗତ କରାଇଥିଲେ।
କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦୀପ ଗଡ଼ନାୟକ, ସ୍ୱତନ୍ତ୍ର ସମନ୍ୱୟ ବୋର୍ଡର ଅଧ୍ୟକ୍ଷ ଶ୍ରୀ ବଶିଷ୍ଠ ନାୟକ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖ୍ତର, ଆଇଏଏସ୍ ପ୍ରୋବେସନର ଅଭି ଜୈନ୍, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହାନ୍ତଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ସୁଭଦ୍ରା ହିତାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।




