ବୁର୍ଲାରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ: ମାଂସ ବ୍ୟବସାୟୀଙ୍କୁ ୩ ରାଉଣ୍ଡ ଗୁଳି, ମୃତ
ବୁର୍ଲା: ବୁର୍ଲାରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡକୁ ନେଇ ଚାଞ୍ଚଲ୍ୟ। କୀର୍ବା ଗ୍ରାମ ପ୍ରବେଶ ଛକରେ ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଜଣେ ମାଂସ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଅଭିଯୋଗ ହୋଇଛି। ମୃତକ ହେଲେ ଅନିଶ କୁରେଶି (୪୦)।
ସୂଚନା ଅନୁଯାୟୀ, ଅନିଶଙ୍କ ନିକଟରେ ଝାରସୁଗୁଡ଼ା ଅଞ୍ଚଳର ରାଜା ନାମକ ଜଣେ ଯୁବକ କାମ କରୁଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ରାଜା ଅନିଶଙ୍କ ଉପରେ ଅତି ନିକଟରୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ପ୍ରାୟ ତିନି ରାଉଣ୍ଡ ଗୁଳି ଫୁଟିଥିବା ବେଳେ ଘଟଣାସ୍ଥଳରେ ହିଁ ଅନିଶ ଟଳିପଡ଼ିଥିଲେ।
ଘଟଣା ପରେ କୀର୍ବା ଛକ ଓ ଭିସୁଟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ତେବେ ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ କ’ଣ ଏବଂ ଅଭିଯୁକ୍ତ ଯୁବକଙ୍କ ନିକଟକୁ ବନ୍ଧୁକ କିପରି ଆସିଲା, ତାହା ଏବେ ପୁଲିସ ତଦନ୍ତର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଘଟଣାର ସମ୍ପୂର୍ଣ୍ଣ ରହସ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।



